Report Card Odisha

| Daily Odia News

ଖେଳାଳିଙ୍କ ତାଲିମ ପାଇଁ ଖର୍ଚ୍ଚହେବ ୧୯୦ କୋଟି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚଳିତବର୍ଷ ବର୍ମିଂହାମ୍‌ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଚୀନ୍‌ର ହ୍ବାଙ୍ଗ୍‌ଝୌରେ ଏସୀୟ କ୍ରୀଡ଼ା ଆୟୋଜନ ହେବାକୁ ଯାଉଛି । ଏଥିପାଇଁ ଭାରତୀୟ ଖେଳାଳିଙ୍କୁ ପ୍ରସ୍ତୁତ କରିବା ଲାଗି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ୧୯୦ କୋଟି ଟଙ୍କା ଖର୍ଚ୍ଚକରିବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି। ଏହି ଅର୍ଥ ଖେଳାଳିଙ୍କ ତାଲିମ, ବିଦେଶ ଗସ୍ତ, ସରଞ୍ଜାମ କ୍ରୟ ଏବଂ ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ପ୍ରଦାନ ଲାଗି ବ୍ୟୟ କରାଯିବ। ୨୦୨୨-୨୩ କ୍ରୀଡ଼ା ବର୍ଷ ଲାଗି ୩୩ଟି ଜାତୀୟ କ୍ରୀଡ଼ା ମହାସଂଘର ପ୍ରସ୍ତୁତି କ୍ୟାଲେଣ୍ଡର ଚୂଡାନ୍ତ ହୋଇଛି। ଏଥିଲାଗି ୨୫୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏଥିରେ ବିଭିନ୍ନ ଅନ୍ତର୍ଜାତୀୟ କ୍ରୀଡ଼ା ଲାଗି ପ୍ରସ୍ତୁତିକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଠାକୁରଙ୍କ ମତରେ କ୍ରୀଡ଼ାବିତ୍‍ଙ୍କ ପ୍ରସ୍ତୁତି ଲାଗି ଅର୍ଥର ଅଭାବ ରହିବ ନାହିଁ। କେବଳ ସେମାନେ ଅନ୍ତର୍ଜାତୀୟ ସ୍ତରରେ ସର୍ବାଧିକ ପଦକ ଜିତି ଦେଶର ଗୌରବ ବଢ଼଼ାଇବା ଆବଶ୍ୟକ। ଚଳିତବର୍ଷ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଲାଗି ବ୍ୟୟ ଅଟକଳ ବୃଦ୍ଧି କରାଯାଇଛି। ଭାରତର ପାରମ୍ପରିକ କ୍ରୀଡ଼ା ଓ ଅଲିମ୍ପିକ୍‍ କ୍ରୀଡ଼ା ଆୟୋଜନ ଲାଗି ୫୧ ଲକ୍ଷ ଟଙ୍କା ବ୍ୟୟବରାଦ କରାଯିବ। ଅନ୍ୟ ସବୁ ପ୍ରତିଯୋଗିତା ଲାଗି ୩୦ ଲକ୍ଷ ଟଙ୍କା ସହାୟତା ଦିଆଯିବ। ପୂର୍ବରୁ ସମସ୍ତ ପ୍ରକାର ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ ଲାଗି ୨୨ ଲକ୍ଷ ଟଙ୍କା କେନ୍ଦ୍ରୀୟ ସହାୟତା ଦିଆ ଯାଉଥିଲା।

 

Breaking News