Report Card Odisha

| Daily Odia News

ଶ୍ରୀଲଙ୍କାରେ ଆଳୁ ୨୨୦-ପିଆଜ ୨୦୦ ଟଙ୍କା……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଶ୍ରୀଲଙ୍କାରେ ଗତ କିଛିମାସ ଯେଉଁ ଅର୍ଥନୈତିକ ଓ ରାଜନୈତିକ ସଂକଟ ଆରମ୍ଭ ହୋଇଥିଲା | ତାହା ଏବେ ଚରମ ସୀମାରେ ପହଞ୍ଚିଛି। ଦେଶରେ ଅଧିକାଂଶ ପନିପରିବା ମୂଲ୍ୟ ଦୁଇଗୁଣା ହୋଇଯାଇଛି। ଶ୍ରୀଲଙ୍କା ମୁଦ୍ରାରେ କିଲୋଗ୍ରାମ ପିଛା ଆଳୁ ମୂଲ୍ୟ ୨୨୦ ଟଙ୍କା ଏବଂ ପିଆଜ ମୂଲ୍ୟ ୨୦୦ ଟଙ୍କାରେ ପହଞ୍ଚିଛି। ସେହିଭଳି ଚାଉଳ ମୂଲ୍ୟ ବର୍ଷକ ତଳେ କିଲୋଗ୍ରାମ ପିଛା ୧୪୫ ଟଙ୍କା ଥିବାବେଳେ ଏବେ ତାହା ୨୩୦ ଟଙ୍କାରେ ପହଞ୍ଚିଛି। ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ୧୫୦ ଟଙ୍କାରେ ବିକ୍ରି ହେଉଛି। ଏଥିସହିତ ଗାଜର କିଲୋ ୪୯୦ ଟଙ୍କା ଛୁଇଁଛି। ଶ୍ରୀଲଙ୍କାରେ ମୁଖ୍ୟତଃ ଯୋଗାଣ ଅଭାବଜନିତ ମୁଦ୍ରାସ୍ଫୀତି ଦେଖାଦେଇଛି। ଏଥିସହିତ ଇନ୍ଧନ ମୂଲ୍ୟ ଉଚ୍ଚା ରହିବା କାରଣରୁ ବିଭିନ୍ନ ସାମଗ୍ରୀର ମୂଲ୍ୟ ବଢ଼ିଯାଇଛି। ଜୁଲାଇରେ ଶ୍ରୀଲଙ୍କାର ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ରହିବ ବୋଲି ବିଶେଷଜ୍ଞମାନେ ଆକଳନ କରିଥିଲେ। କିନ୍ତୁ ଚଳିତବର୍ଷ ଅବଶିଷ୍ଟ ସମୟରେ ମୁଦ୍ରାସ୍ଫୀତି ପାଖାପାଖି ୫୦ ପ୍ରତିଶତ ‌ରହିବ ବୋଲି କୁହାଯାଉଛି। ଦେଶରେ ଦରଦାମ ନିୟନ୍ତ୍ରଣ ସହିତ ମୁଦ୍ରା ମୂଲ୍ୟରେ ସ୍ଥିରତା ଆଣିବା ପାଇଁ ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ଗତ ଏପ୍ରିଲରେ ସୁଧ ହାରରେ ରେକର୍ଡ ୭ ପ୍ରତିଶତ ବୃଦ୍ଧି କରିଥିଲା। ଜୁନ ମାସରେ ଶ୍ରୀଲଙ୍କାର ମୁଦ୍ରାସ୍ଫୀତି ୫୪.୬ ପ୍ରତିଶତ
ରହିଥିଲା।୨୨ ନିୟୁତ ବିଶିଷ୍ଟ ଏହି ଦ୍ବୀପ ଦେଶରେ ବିଦେଶୀ ମୁଦ୍ରାର ଗୁରୁତର ଅଭାବ ଦେଖାଦେଇଛି। ଫଳରେ ଶ୍ରୀଲଙ୍କା ପେଟ୍ରୋଲ, ଡିଜେଲ, ସାର, ଖାଦ୍ୟ ଏବଂ ଔଷଧ ଆଦି ବିଦେଶରୁ ଆମଦାନି କରି ପାରୁନାହିଁ। ପେଟ୍ରୋଲ ଓ ଡିଜେଲ କିଣିବାକୁ ଲୋକଙ୍କୁ ମାଇଲ ମାଇଲ ଧରି ଧାଡ଼ିରେ ଠିଆ ହେବାକୁ ପଡ଼ୁଛି। ଖାଦ୍ୟ ମୁଦ୍ରାସ୍ଫୀତି ୮୦.୧ ପ୍ରତିଶତରେ ପହଞ୍ଚିଛି। ପରିବହନ ଖର୍ଚ୍ଚ ୧୨୮ ପ୍ରତିଶତ ବଢ଼ିଯାଇଛି। ଖାଦ୍ୟପଦାର୍ଥର ଉଚ୍ଚ ଦାମ୍ ଯୋଗୁ ୭୦ ପ୍ରତିଶତ ପରିବାର କମ୍ ପରିମାଣରେ ଖାଦ୍ୟ ଖାଉଛନ୍ତି ବୋଲି ୟୁନିସେଫ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଶ୍ରୀଲଙ୍କା ମୁଦ୍ରା ଭାରତୀୟ ମୁଦ୍ରା ତୁଳନାରେ ଦୁର୍ବଳ ରହିଛି। ଭାରତର ୧ ଟଙ୍କା ଶ୍ରୀଲଙ୍କାର ପ୍ରାୟ ୪.୬ ଟଙ୍କା ସହିତ ସମାନ।

Breaking News