Report Card Odisha

| Daily Odia News

ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ…..

ରିପୋର୍ଟ କାର୍ଡ / କଟକ

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି କଟକର ବେଲ୍ ଭ୍ୟୁ ଛକରେ ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିମୂର୍ତ୍ତି ଅନାବରଣ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। କଟକର ଶିଳ୍ପୀ ସଞ୍ଜୀବ ବିଶ୍ୱାଳଙ୍କ ନେତୃତ୍ୱରେ ୨୨ ଜଣ କାରିଗରଙ୍କ ଦ୍ୱାରା କାଠଗଡ଼ା ସାହିସ୍ଥିତ କାରଖାନାଠାରେ ଏହି ମୂର୍ତ୍ତି ନିର୍ମାଣ କରାଯାଇଛି। ୯୦ କ୍ୱିଣ୍ଟାଲ ଓଜନର ବ୍ରୋଞ୍ଜରେ ତିଆରି ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୧୦ ଫୁଟ୍‌ ୬ ଇଞ୍ଚ ରହିଛି। ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ ଡିସେମ୍ବର ୨୫ରେ ଥିବାବେଳେ ଆଜି କଟକରେ ପ୍ରତିମୂର୍ତ୍ତିର ଲୋକାର୍ପଣ କରଯାଇଛି। ବାଜପେୟୀଙ୍କ ଶତବାର୍ଷିକୀ ଜନ୍ମ ଜୟନ୍ତୀ ପାଳନ ଉତ୍ସବ ପୂର୍ବରୁ କଟକରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରିବା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସମାନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅପରପକ୍ଷେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ୧୯୯୯ ମସିହା ମହାବାତ୍ୟା ପରେ ଯେତେବେଳେ ଓଡ଼ିଶାର ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଥିଲା, ସେହି ସମୟରେ ଅଟଳ ବିହାରୀ ବାଜପେୟୀଙ୍କ ଏକ ଆଶ୍ଵସ୍ତିକର ବାକ୍ୟ ଓଡ଼ିଶା ପାଇଁ ବରଦାନ ସଦୃଶ ଥିଲା। ଓଡ଼ିଶାର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହିଥିଲେ ଅଟଳ ବିହାରୀ ବାଜପେୟୀ। ଏହା ବ୍ୟତୀତ ବିଜେପିର ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ସମୀର ଦେ, ଯିଏକି ବର୍ତ୍ତମାନ ଏ ଦୁନିଆରେ ନାହାନ୍ତି ତାଙ୍କର ମଧ୍ୟ ସ୍ୱପ୍ନ ରହିଥିଲା କଟକରେ ବାଜପେୟୀଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନା କରିବା ପାଇଁ। ତେଣୁ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ପ୍ରତିମୂର୍ତ୍ତି ଆଜି ଲୋକମାନଙ୍କ ପାଇଁ ଲୋକାର୍ପିତ ହୋଇଛି, ଯାହା କଟକର ଶୋଭାକୁ ଆହୁରି ବୃଦ୍ଧି କରିବ ବୋଲି ସେ କହିଛନ୍ତି। ତେବେ ପ୍ରଥମଥର ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି କଟକରେ ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଭର୍ତ୍ତୃହରି ମହତାବ, ସଦର ବିଧାୟକ ଇଂ ପ୍ରକାଶ ସେଠୀ, ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, ବାଙ୍କୀ ବିଧାୟକ ଦେବୀ ପ୍ରସାଦ ତ୍ରିପାଠୀ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଓ ଶ୍ରୀତମ୍ ଦାସ ପ୍ରମୁଖ ଯୋଗ ଦେଇଥିଲେ।

Breaking News