ରିପୋର୍ଟ କାର୍ଡ / ଭୁବନେଶ୍ୱର
ବଦଳିଲା ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଆଇକାର୍ଡ ରଙ୍ଗ। ଛାତ୍ରୀଛାତ୍ରଙ୍କ ଆଇଡେଣ୍ଟିଟି କାର୍ଡ ରଙ୍ଗ ବଦଳିବା ସହ ହାଉସ ୟୁନିଫର୍ମ ଓ ଟୋପି ବି ବଦଳିଛି । ପୂର୍ବରୁ ଲେଗୋରେ ଆମେ ଗଢିବୁ ନୂଆ ଓଡ଼ିଶା ଲେଖାଥିବା ବେଳେ, ଏବେ ‘ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା’ ଲେଖାଯାଇଛି। ପୂର୍ବରୁ ଆଇ କାର୍ଡର ରଙ୍ଗ ସବୁଜ ଥିବାବେଳେ ଏବେ ତାକୁ ଗେରୁଆ ରଙ୍ଗର କରାଯାଇଛି। ଏଥିରେ ଶ୍ରେଣୀ, ଜନ୍ମ ତାରିଖ, ରୋଲ ନମ୍ବର, ଫୋନ ନମ୍ବର ଓ ବ୍ଲଡ ଗ୍ରୁପ ଉଲ୍ଲେଖ ରହିବ। କ୍ୟାମ୍ପସ ଭିତରକୁ ଆସିଲେ ଏହା ପିନ୍ଧିବା ବଧ୍ୟତାମୂଳକ କରାଯିବ।ଅନ୍ୟପଟେ ଖୁବଶୀଘ୍ର ସ୍କୁଲ ପିଲାଙ୍କୁ ମିଳିବ ମାଗଣା ୟନିଫର୍ମ। ରାଜ୍ୟ ସରକାରଙ୍କର ନିଷ୍ପତ୍ତି ଅନୁଯାୟୀ ଚଳିତ ଶିକ୍ଷାବର୍ଷ (୨୦୨୫-୨୦୨୬) ପାଇଁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡିକରେ ପ୍ରଥମ ଶ୍ରେଣୀଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ୁ ଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ଟି ସାର୍ଟ, ପ୍ୟାଣ୍ଟ, ଜୋତା, ଟୋପି ଏବଂ ପରିଚୟ ପତ୍ର ମାଗଣାରେ ଯୋଗାଇ ଦିଆଯିବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ରାଜ୍ୟର ସମସ୍ତ ଜିଲା ଶିକ୍ଷାଧିକାରୀ ଓ ସମଗ୍ର ଶିକ୍ଷାର ସଂସ୍ଥା ଜିଲା ପ୍ରକଳ୍ପ ସଂଯୋଜକଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ।ଏଥିପାଇଁ ଜଣେ ଛାତ୍ରୀଛାତ୍ରଙ୍କ ପିଛା ମୋଟ ୫୦୦ ଟଙ୍କା ଖର୍ଚ୍ଚ ହେବ । ଜଣେ ଛାତ୍ରୀଛାତ୍ରଙ୍କ ପିଛା ୨୦୦ଟଙ୍କାରେ ହଳେ ଜୋତା ଓ ଦୁଇ ହଳ ମୋଜା, ୧୨୫ ଟଙ୍କାରେ ଗୋଟିଏ ଟି-ସାର୍ଟ ଓ ୧୨୫ ଟଙ୍କାରେ ଗୋଟିଏ ଟ୍ରାକ ପ୍ୟାଣ୍ଟ, ୩୦ ଟଙ୍କାରେ ଗୋଟିଏ ଟୋପି ଓ ୨୦ ଟଙ୍କାରେ ଗୋଟିଏ ପରିଚୟ ପତ୍ର ବଣ୍ଟନ କରାଯିବ ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..