ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅଗଷ୍ଟ ୯ ତାରିଖ ରକ୍ଷାବନ୍ଧନରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ମିଳିବ। ଯେଉଁମାନେ ଦ୍ୱିତୀୟ କିସ୍ତି ପାଇନାହାନ୍ତି, ଆସନ୍ତା ୨ଦିନ ମଧ୍ୟରେ ସମ୍ପୃକ୍ତ ହିତାଧିକାରୀଙ୍କ ତାଲିକା ସମୀକ୍ଷା କରାଯିବ। ବହୁ ଶୀଘ୍ର ଯୋଗ୍ୟ ହିତାଧିକାରୀ ପାଇବେ ସୁଭଦ୍ରାର ସମସ୍ତ କିସ୍ତି ଟଙ୍କା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ୟୁନିଟ ୯ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ ଦ୍ବାରା ସୁଭଦ୍ରା ସମୀକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଥିଲେ, ସୁଭଦ୍ରା ସହାୟତା ମା’ ଓ ଭଉଣୀଙ୍କ ଜୀବନରେ କ’ଣ ପରିବର୍ତ୍ତନ ଆଣିଛି ଓ ଆଉ କ’ଣ କଲେ ସୁଭଦ୍ରା କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିହେବ ଏପରି ପ୍ରଶ୍ନଗୁଡିକର ଉତ୍ତର ପାଇବା ପାଇଁ ମହିଳା ଏବଂ ଶିଶୁ ବିକାଶ ବିଭାଗ, ଉଚ୍ଚଶିକ୍ଷା ବିଭାଗ ଏବଂ ଆଇଆଇଏମ ସମ୍ବଲପୁର ସହଭାଗିତାରେ ସୁଭଦ୍ରା ସମୀକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ସୁଭଦ୍ରା ସମୀକ୍ଷା କାର୍ଯ୍ୟକ୍ରମରେ କଲେଜ ପଢୁଆ ଛାତ୍ରଛାତ୍ରୀ ଆଗାମୀ ୨ ସପ୍ତାହବ୍ୟାପୀ ସାରା ରାଜ୍ୟର ଅଙ୍ଗନବାଡି କେନ୍ଦ୍ରଗୁଡିକରେ ସାକ୍ଷାତକାର କାର୍ଯ୍ୟକ୍ରମ ମାଧ୍ୟମରେ ହିତାଧିକାରୀଙ୍କୁ ସୁଭଦ୍ରା କାର୍ଯ୍ୟକ୍ରମ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ପଚାରି ଆବଶ୍ୟକ ତଥ୍ୟ ସୁନିଶ୍ଚିତ କରିବେ। ସୁଭଦ୍ରା ସହାୟତାର ଉପଯୋଗ ଓ ସୁଭଦ୍ରା କାର୍ଯ୍ୟକ୍ରମର ପ୍ରଭାବ ବିଷୟରେ ସେମାନେ ତଥ୍ୟ ସଂଗ୍ରହ କରିବେ।ପର୍ଯ୍ୟାୟକ୍ରମେ ୨୨,୦୦୦ ମହିଳା ହିତାଧିକାରୀଙ୍କୁ ନେଇ ସୁଭଦ୍ରା ସମୀକ୍ଷା କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସାମାଜିକ ବର୍ଗ ଏବଂ ବୟସ ଭିତ୍ତିରେ ହିତାଧିକାରୀଙ୍କୁ ନିଆଯାଇଛି। ସର୍ବେକ୍ଷଣ ତଥ୍ୟ ଆଧାରରେ ଆଗାମୀ ସୁଭଦ୍ରା କାର୍ଯ୍ୟକ୍ରମର କାର୍ଯ୍ୟାନ୍ବୟନ କରାଯିବ। ଆଇଆଇଏମ, ସମ୍ବଲପୁର ସହଯୋଗରେ ମହିଳା ଓ ଶିଶୁ ବିକାଶ ବିଭାଗ ଏହି ସମୀକ୍ଷାର ତଥ୍ୟକୁ ବିଶ୍ଳେଷଣ କରି ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରିବେ। ଏହି କାର୍ଯ୍ୟକ୍ରମରେ ସମାଜସେବୀ ଜଗନ୍ନାଥ ପ୍ରଧାନ, ମହିଳା ଶିଶୁ ବିକାଶ ବିଭାଗ ନିର୍ଦେଶିକା ମୋନିଷା ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।






More Stories
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ……
ଗାଡ଼ିର ବୈଧ କାଗଜପତ୍ର କରିବା ସମୟ ବୃଦ୍ଧି…..
ଆକ୍ସନ ନେବେ ଉପମୁଖ୍ୟମନ୍ତ୍ରୀ…..