ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଯୋଗଗୁରୁ ବାବା ରାମଦେବ ପତଞ୍ଜଳି ଦ୍ରବ୍ୟ ଉପରେ ଟିପ୍ପଣୀ ଦେବାକୁ ଯାଇ ଅନେକ ସମୟରେ ଏଲୋପାଥି ଓ ଅନ୍ୟ ଚିକିତ୍ସା ବ୍ୟବସ୍ଥାକୁ ସମାଲୋଚନା କରିଥାନ୍ତି | ଏଥିରୁ ନିବୃତ୍ତ ରହିବାକୁ ମଙ୍ଗଳବାର ସୁପ୍ରିମ୍କୋର୍ଟ କହିଛନ୍ତି। ଇଣ୍ଡିଆନ ମେଡିକାଲ ଆସୋସିଏସନ ଦ୍ବାରା ଆଗତ ପିଟିସନ ଉପରେ ବିଚାର କରି ପ୍ରଧାନବିଚାରପତି ଜଷ୍ଟିସ୍ ଏନ୍ଭି ରମଣାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏ ବାବଦରେ କେନ୍ଦ୍ର ସରକାର ଓ ପତଞ୍ଜଳି ଆୟୁର୍ବେଦକୁ ନୋଟିସ୍ ଜାରି କରିଛନ୍ତି। ପତଞ୍ଜଳି ଉତ୍ପାଦର ବିଭିନ୍ନ ବିଜ୍ଞାପନରେ ଏଲୋପାଥି ଚିକିତ୍ସା ବ୍ୟବସ୍ଥାକୁ ସମାଲୋଚନା କରାଯିବା ସହ ଲୋକଙ୍କ ମୃତ୍ୟୁ ଓ ରୋଗଯନ୍ତ୍ରଣା ପାଇଁ ଏହାକୁ ଦାୟୀ କରାଯାଇଛି। ଜଷ୍ଟିସ୍ ରବିକୁମାର ଓ ହିମା କୋହଲି ଅନ୍ୟତମ ସଦସ୍ୟ ଥିବା ତିନିଜଣିଆ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି, ବାବା ରାମଦେବ ଡାକ୍ତରମାନଙ୍କୁ ଓ ଅନ୍ୟ ଚିକିତ୍ସା ବ୍ୟବସ୍ଥାକୁ କାହିଁକି ନିନ୍ଦା କରିବେ? ଅନ୍ୟ ଚିକିତ୍ସା ବ୍ୟବସ୍ଥାକୁ ସେ ସମାଲୋଚନା କରିପାରିବେ ନାହିଁ। ସେ ଯେଉଁ ଚିକିତ୍ସା ବ୍ୟବସ୍ଥା ସପକ୍ଷରେ ଓକିଲାତି କରୁଛନ୍ତି, ତାହାଦ୍ବାରା ସମସ୍ତଙ୍କର ସବୁ ରୋଗ ଭଲ ହେବାର କି ଗ୍ୟାରେଣ୍ଟି ଅଛି | ଆଇଏମ୍ଏ ପକ୍ଷରୁ କେସ୍ ଲଢ଼ୁଥିବା ଓକିଲ ପ୍ରଭାସ ବଜାଜ ଖଣ୍ଡପୀଠ ଆଗରେ ପତଞ୍ଜଳିର ବିଜ୍ଞାପନଗୁଡ଼ିକୁ ଦେଖାଇଥିଲେ ଯେଉଁଥିରେ ଲୋକଙ୍କ ମୃତ୍ୟୁ ଓ ଦୁରାରୋଗ୍ୟ ବ୍ୟାଧି ପାଇଁ ଏଲୋପାଥିକୁ ଦାୟୀ କରାଯାଇଛି। କୋଭିଡ୍-୧୯ର ଦ୍ବିତୀୟ ଲହର ଚାଲିଥିବା ବେଳେ ଏଭଳି ଅନେକ ବିଜ୍ଞାପନ ପ୍ରକାଶ ପାଇଥିଲା। କୋଭିଡ୍-୧୯ରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ପାଇଁ ଏଲୋପାଥି ଚିକିତ୍ସା ବ୍ୟବସ୍ଥା ଦାୟୀ ବୋଲି ଏହିସବୁ ବିଜ୍ଞାପନରେ ଅଭିଯୋଗ କରାଯାଇଛି। ମଧୁମେହ ଓ ରକ୍ତଚାପ ରୋଗକୁ ଆୟୁର୍ବେଦ ଚିକିତ୍ସା ଦ୍ବାରା ସେମାନେ ପୂରା ଭଲ କରିଦେବେ ବୋଲି ଦାବି କରୁଛନ୍ତି। ପ୍ରଧାନବିଚାରପତି ପଚାରିଥିଲେ, ସେ (ରାମଦେବ) କେମିତି କହିପାରିବେ ଯେ ସବୁ ଏଲୋପାଥି ଡାକ୍ତର ହେଉଛନ୍ତି ହତ୍ୟାକାରୀ?






More Stories
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……
ଆଜି ବଜେଟ୍…..