ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଇନ ୧୯୯୧ର ବୈଧତା ନିର୍ଣ୍ଣୟ ନ ହେବା ପର୍ଯ୍ୟନ୍ତ ଉପାସନାସ୍ଥଳୀଗୁଡ଼ିକର ସର୍ଭେ କରାଯାଇପାରିବ ନାହିଁ ଏବଂ କୌଣସି ନୂଆ ମାମଲା ରୁଜୁ ହୋଇପାରିବ ନାହିଁ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। ମସଜିଦ ସର୍ଭେ ସମ୍ବନ୍ଧୀୟ ମାମଲାର ଯାଞ୍ଚ ନ କରିବାକୁ କିମ୍ବା ଏଭଳି ମାମଲାରେ କୌଣସି ଆଦେଶ ନ ଦେବାକୁ କୋର୍ଟ ସମସ୍ତ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୧୯୯୧ ଆଇନର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରୁଥିବା ଏକାଧିକ ଆବେଦନର ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏହି ଆବେଦନ ଉପରେ କେନ୍ଦ୍ର ସରକାରଙ୍କ ଜବାବ ମାଗିବା ସହ ପ୍ରତି-ସତ୍ୟପାଠ ଦାଖଲ କରିବାକୁ ୪ ସପ୍ତାହ ସମୟ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ପିଭି ସଞ୍ଜୟ କୁମାର ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ।‘ଯେହେତୁ ଏହି ମାମଲା ସୁପ୍ରିମ୍କୋର୍ଟରେ ବିଚାରାଧୀନ ଅଛି, ତେଣୁ ଆମେ ନିର୍ଦ୍ଦେଶ ଦେବାକୁ ଉଚିତ ମନେ କରୁଛୁ ଯେ କୌଣସି ନୂତନ ମାମଲା ରୁଜୁ କରାଯିବ ନାହିଁ କିମ୍ବା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯିବ ନାହିଁ। ଯେତେବେଳେ କୌଣସି ମାମଲା ଆମ ନିକଟରେ ବିଚାରାଧୀନ ଅଛି, ଅନ୍ୟ କୌଣସି ଅଦାଲତ ଏହାର ଯାଞ୍ଚ କରିବା ଉଚିତ କି? ଆମ ପାଖରେ ରାମ ଜନ୍ମଭୂମି ମାମଲା ମଧ୍ୟ ରହିଛି’ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। ବିଭିନ୍ନ ହିନ୍ଦୁ ସଂଗଠନ ଏବଂ ପ୍ରାଚୀନ ମନ୍ଦିର ଉପରେ କିଛି ମସଜିଦ ନିର୍ମାଣ ହୋଇଥିବା ଦାବି କରୁଥିବା ଲୋକମାନେ ୧୯୯୧ର ଆଇନକୁ ଚାଲେଞ୍ଜ କରି ପିଟିସନ୍ ଦାଖଲ କରିଛନ୍ତି। ସମୀକ୍ଷାଧୀନ ପ୍ରମୁଖ ବ୍ୟବସ୍ଥାଗୁଡ଼ିକ ଧାରା ୨, ୩ ଓ ୪ର ଅନ୍ତର୍ଭୁକ୍ତ, ଯାହା ଧାର୍ମିକ ସ୍ଥଳଗୁଡ଼ିକର ସ୍ଥିତି ପରିବର୍ତ୍ତନକୁ ରୋକିଥାଏ। ୧୯୪୭ ସୁଦ୍ଧା ଧାର୍ମିକ ସ୍ଥଳଗୁଡ଼ିକର ସ୍ଥିତି ଯାହା ଥିଲା ତାହା ହିଁ ରହିବ ବୋଲି ଆଇନରେ ଉଲ୍ଲେଖ ରହିଛି। ପିଟିସନରେ ଧାର୍ମିକ ନେତା, ରାଜନେତା ଓ ଓକିଲଙ୍କ ସମେତ ଆବେଦନକାରୀମାନେ ଦାବି କରିଛନ୍ତି ଯେ ଏହି ଆଇନ ହିନ୍ଦୁ, ଜୈନ, ବୌଦ୍ଧ ଓ ଶିଖ୍ମାନଙ୍କୁ ସେମାନଙ୍କ ଉପାସନା ସ୍ଥଳର ପୁନରୁଦ୍ଧାର ଓ ପରିଚାଳନା କରିବାର ଅଧିକାରକୁ କ୍ଷୁଣ୍ଣ କରୁଛି ଏବଂ ଧାରା ୨୫, ୨୬ ଓ ୨୯ ଅନୁଯାୟୀ ସେମାନଙ୍କ ସାମ୍ବିଧାନିକ ଅଧିକାରକୁ ଉଲ୍ଲଂଘନ କରୁଛି। ଆବେଦନ ଉପରେ ୪ ସପ୍ତାହ ମଧ୍ୟରେ ନିଜର ମତାମତ ଓ ପ୍ରତି-ସତ୍ୟପାଠ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ କୁହାଯାଇଛି। ଏହି ମାମଲାଗୁଡିକ ମଧ୍ୟରେ ସମ୍ଭଲର ଶାହି ଜାମା ମସଜିଦ, ବାରାଣସୀର ଜ୍ଞାନବାପି ମସଜିଦ, ମଥୁରାର ଶାହି ଇଦ୍ଗାହ ମସଜିଦ ଓ ରାଜସ୍ଥାନର ଅଜମେର ଦରଗାହକୁ ନେଇ ବିବାଦ ରହିଛି।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..