ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ଚାଲେଞ୍ଜ୍ କରି ଦାଏର କରାଯାଇଥିବା ଆବେଦନ ଉପରେ ଶୁଣିନି ହେବ | ଗ୍ରୀଷ୍ମ ଅବକାଶ ପରେ ତାଲିକାଭୁକ୍ତ କରି ଶୁଣାଣି କରିବା ଲାଗି ଆଜି ସୁପ୍ରିମ୍ କୋର୍ଟ ରାଜି ହୋଇଛନ୍ତି। ଜମ୍ମୁ ଓ କଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ଧାରା ୩୭୦କୁ ୨୦୧୯ ଅଗଷ୍ଟ ୫ ତାରିଖ ଦିନ ଉଚ୍ଛେଦ କରି କେନ୍ଦ୍ର ସରକାର ତାହାକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରିଥିଲେ। ପ୍ରଧାନ ବିଚାରପତି ଏନ୍. ଭି. ରମନା ବିଚାରପତି ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀମାନଙ୍କ ତରଫରୁ ହାଜର ହୋଇଥିବା ବରିଷ୍ଠ ଆଡ୍ଭୋକେଟ୍ ଶେଖର ନାଫଡ଼େଙ୍କ ଆବେଦନ ପ୍ରତି ଧ୍ୟାନ ଦେଇଥିଲେ। ରାଜ୍ୟରେ ‘ଡିଲିମିଟେସନ୍ ଏକ୍ସରସାଇଜ୍’ (ବିଭାଜନ) କରାଯାଉଥିବାରୁ ଉପରୋକ୍ତ ଆବେଦନଗୁଡ଼ିକର ଜରୁରୀ ଶୁଣାଣି ଆବଶ୍ୟକ ବୋଲି ସେ ଦାଖଲ କରିଥିବା ଆବେଦନରେ ଉଲ୍ଲେଖ କରିଛନ୍ତି।ପ୍ରଧାନ ବିଚାରପତି କହିଲେ, ଏହା ହେଉଛି ଧାରା ୩୭୦ ବିଷୟ। ‘ଡିଲିମିଟେସନ୍’ (ବିଭାଜନ) ମଧ୍ୟ ଚାଲିଛି। ହଉ, ବୁଝିବା। ଏଇଟା ୫ଜଣିଆ ବିଚାରପତିଙ୍କ ମାମଲା। ମତେ ଖଣ୍ଡପୀଠର ପୁନର୍ଗଠନ କରିବାକୁ ପଡ଼ିବ। ଗ୍ରୀଷ୍ମ ଅବକାଶ ପରେ ଆବେଦନଗୁଡ଼ିକର ଶୁଣାଣି ନିମନ୍ତେ ୫ଜଣିଆ ଖଣ୍ଡପୀଠର ପୁନର୍ଗଠନ କରିବାକୁ ସୁପ୍ରିମ୍ କୋର୍ଟ ରାଜି ହୋଇଛନ୍ତି। ଧାରା ୩୭୦ରେ ଥିବା ବ୍ୟବସ୍ଥା ଉଚ୍ଛେଦ ଏବଂ ‘ଜମ୍ମୁ ଓ କଶ୍ମୀର ପୁନଃ ସଙ୍ଗଠନ ଆଇନ ୨୦୧୯’କୁ ଚାଲେଞ୍ଜ୍ କରି ସୁପ୍ରିମ୍ କୋର୍ଟରେ କେତେଗୁଡ଼ିଏ ଆବେଦନ ଦାଏର କରାଯାଇଥିଲା। ୨୦୧୯ରେ ଏହି ମାମଲାକୁ ତତ୍କାଳୀନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ବିଚାରପତି ଏନ୍.ଭି. ରମନାଙ୍କ ନେତୃତ୍ବାଧୀନ ସାମ୍ବିଧାନିକ ଖଣ୍ଡପୀଠକୁ ରେଫର୍ କରିଥିଲେ।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….