ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ ନିକଟରେ ଶେଷ ହୋଇଥିବା ବିବାଦୀୟ ଏମ୍ସିଡି (ମୁନସିପାଲ୍ କର୍ପୋରେସନ୍ ଅଫ୍ ଦିଲ୍ଲୀ) ଷ୍ଟାଣ୍ଡିଂ କମିଟି ନିର୍ବାଚନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଥିଲା। ଏମ୍ସିଡି ଷ୍ଟାଣ୍ଡିଂ କମିଟିର ଷଷ୍ଠ ସଦସ୍ୟ ନିର୍ବାଚନ ପାଇଁ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା ଜରୁରୀ ପ୍ରାବଧାନ ଲାଗୁ କରିବା ନେଇ ଆଜି ସୁପ୍ରିମକୋର୍ଟ ଉପରାଜ୍ୟପାଳଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଉପରାଜ୍ୟପାଳ ବାରମ୍ବାର ହସ୍ତକ୍ଷେପ କରିବା ଘଟଣାରେ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଏଥି ସହ ନିର୍ବାଚନ ପ୍ରକ୍ରିୟାରେ ମେୟର ସେଲି ଓବେରୟଙ୍କ ନିଷ୍ପତ୍ତିକୁ ସେ ଅଣଦେଖା କରିଥିବାରୁ ଏହାକୁ ନେଇ କୋର୍ଟ ପ୍ରଶ୍ନ କରିଛନ୍ତି। ଜଷ୍ଟିସ ପିଏମ୍ ନରସିଂହ ଏବଂ ଆର୍ ମହାଦେବନଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆଜି ଉପରାଜ୍ୟପାଳଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଆଇନଜୀବୀ ସଂଜୟ ଜୈନଙ୍କୁ ପଚାରିଥିଲେ ଯେ, ଧାରା ୪୮୭ ଅଧୀନରେ ନିର୍ବାଚନ କରିବାପାଇଁ ଆପଣ କ୍ଷମତା କେଉଁଠାରୁ ପାଇଲେ? ବିଶେଷ କରି ଷ୍ଟାଣ୍ଡିଂ କମିଟିର ଜଣେ ସଦସ୍ୟଙ୍କ ନିର୍ବାଚନ କ୍ଷେତ୍ରରେ ଆପଣଙ୍କୁ କ୍ଷମତା କିଭଳି ମିଳିଲା। ପୁଣି ନିର୍ବାଚନର ୨ ଦିନ ମଧ୍ୟରେ ଶେଷ କରିବାର ତତ୍ପରତା କାହିଁକି ଥିଲା। ଯଦି ଆପଣ ଏଭଳି ହସ୍ତକ୍ଷେପ କରିବେ ତେବେ ଗଣତାନ୍ତ୍ରିକ ପ୍ରକ୍ରିୟାର କ’ଣ ହେବ। ନିର୍ବାଚନକୁ ଚ୍ୟାଲେଞ୍ଜ କରି ଓବେରୟ କରିଥିବା ଆବେଦନ ଉପରେ କୋର୍ଟ ଆଜି ଏକ ନୋଟିସ୍ କରିଛନ୍ତି। କୋର୍ଟ ପୁଣିଥରେ କହିଛନ୍ତି ଯେ ୨ ସପ୍ତାହ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବା ପର୍ଯ୍ୟନ୍ତ ଏଲ୍ଜି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ନିର୍ବାଚନକୁ ନେଇ ଆଗକୁ ନବଢ଼ିବା ଉଚିତ। ଖଣ୍ଡପୀଠ ଜୈନଙ୍କୁ କହିଥିଲେ, ଆପଣ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚନ ଖୁବ୍ ଶୀଘ୍ର କରିବାକୁ ନିଷ୍ପତ୍ତି ନେଉଛନ୍ତି କି? ଯଦି ଆପଣ ଏହା କରନ୍ତି ତେବେ ଆମେ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିବୁ। ଉଲ୍ଲେଖଯୋଗ୍ୟ, ଆଜି ଶୁଣାଣି ସମୟରେ ଓବେରୟଙ୍କୁ ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଆଇନଜୀବୀ ମନୁ ସିଂଘଭି ଖଣ୍ଡପୀଠଙ୍କୁ କହିଥିଲେ ଯେ ଏମ୍ସିଡି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚନ ଯେମିତି ଏଲ୍ଜି ତରବରିଆ ଭାବେ ନକରନ୍ତି ତାହା ଖଣ୍ଡପୀଠ ନିଶ୍ଚିତ କରାନ୍ତୁ। ଏହାପରେ ଖଣ୍ଡପୀଠ ଉପରାଜ୍ୟପାଲଙ୍କୁ ଚେତାଇ ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ନହେବା ପର୍ଯ୍ୟନ୍ତ ଏମ୍ସିଡି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ନକରିବାକୁ କୋର୍ଟ ଦିଲ୍ଲୀ ଉପରାଜ୍ୟପାଳଙ୍କୁ କହିଛନ୍ତି।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..