ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୁପ୍ରିମକୋର୍ଟର ଜଣେ ମହିଳା ଓକିଲଙ୍କୁ ହତ୍ୟା କରାଯାଇଛି। ଓକିଲଙ୍କ ସ୍ବାମୀ ତାଙ୍କୁ ହତ୍ୟା କରିଛନ୍ତି। ଉକ୍ତ ଓକିଲ ହେଉଛନ୍ତି ୬୧ ବର୍ଷୀୟ ରେଣୁ ସିହ୍ନା | ତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ସ୍ବାମୀଙ୍କ ନାଁ ନୀତୀନ ନାଥ ସିହ୍ନା। ସେ ଭାରତୀୟ ରାଜସ୍ବ ସେବାର ଜଣେ ପୂର୍ବତନ ଅଧିକାରୀ। ୬୨ ବର୍ଷୀୟ ନୀତୀନ ନାଥ ସିହ୍ନା ନିଜ ଉତ୍ତରପ୍ରଦେଶ ସ୍ଥିତ ନଏଡ଼ା ସେକ୍ଟର ୩୦ ବଙ୍ଗଳାରେ ଏହି ଅପରାଧ ଘଟାଇଛନ୍ତି। ଅପରାଧ ଘଟାଇବା ପରେ ସେ ବଙ୍ଗଳାର ଷ୍ଟୋର୍ ରୁମ୍ରେ ୩୬ ଘଣ୍ଟାରୁ ଅଧିକ ସମୟ ଲୁଚି ରହିଥିଲେ। ମୃତ ଓକିଲ ରେଣୁ ସିହ୍ନାଙ୍କ ଭାଇ ତାଙ୍କୁ ବାରମ୍ବାର ଫୋନ୍ କରିବା ସତ୍ତ୍ବେ ସେ ଫୋନ୍ ନଉଠାଇବାରୁ ତାଙ୍କର ସନ୍ଦେହ ହୋଇଥିଲା। ପୀଡ଼ିତାଙ୍କ ଭାଇ ଏନେଇ ପୋଲିସରେ ଅଭିଯୋଗ କରିଥିଲେ। ରେଣୁ ସିହ୍ନାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ଭାଇ ଅଭିଯୋଗ କରିଥିଲେ। ରେଣୁଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ପୋଲିସ ଗତ ରବିବାର ଦିନ ତାଙ୍କ ବଙ୍ଗଳାରେ ପହଞ୍ଚିଥିଲା। ପୋଲିସ ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲା ଏବଂ ବାଥରୁମ୍ରେ ପ୍ରଥମେ ରେଣୁଙ୍କ ମୃତଦେହ ପାଇଥିଲା। କିନ୍ତୁ ନୀତୀନ ନାଥଙ୍କୁ ପାଇନଥିଲା। ତାଙ୍କ ଫୋନ୍ ଟ୍ରାକ୍ କରିବାପରେ ପୋଲିସ ତାଙ୍କର ଶେଷ ଲୋକେସନ୍ ବଙ୍ଗଳା ବୋଲି ଜାଣିବାକୁ ପାଇଥିଲା। ପରେ ସେମାନେ ବଙ୍ଗଳାରେ ଭଲଭାବେ ସର୍ଚ୍ଚ୍ କରିବାପରେ ପ୍ରଥମ ମହଲାର ଷ୍ଟୋର ରୁମ୍ରୁ ନୀତୀନ ନାଥଙ୍କୁ ପାଇଥିଲେ ଏବଂ ତାଙ୍କୁ ଗିରଫ କରିଥିଲେ। ପୋଲିସ ଜେରା ସମୟରେ ନୀତୀନ ନାଥ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ନୀତୀନ ନାଥ ସ୍ବୀକାର କରିଛନ୍ତି ଯେ ତାଙ୍କ ବଙ୍ଗଳାକୁ ୪ କୋଟି ଟଙ୍କାରେ ବିକିବାକୁ ସେ ଯୋଜନା କରିଥିଲେ। କିନ୍ତୁ ତାଙ୍କ ପତ୍ନୀ ଏହାକୁ ବିରୋଧ କରୁଥିଲେ। ଉକ୍ତ ଘଟଣାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରବଳ ବଚସା ହୁଏ। ଓକିଲ ରେଣୁ ସିହ୍ନା କ୍ୟାନସରରେ ପୀଡ଼ିତ ଥିଲେ। ଦୀର୍ଘ ଦିନର ଚିକିତ୍ସା ପରେ ଗତ ମାସକ ତଳେ ସେ କର୍କଟ ରୋଗରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଥିଲେ। ଅତ୍ୟଧିକ ରକ୍ତସ୍ରାବ ହୋଇ ରେଣୁଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ତାଙ୍କ ମୃତ୍ୟୁର ସ୍ପଷ୍ଟ କାରଣ ଜଣାପଡ଼ିନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ଏହା ଜଣାପଡ଼ିବ।






More Stories
ରାଜପାଲ ଙ୍କୁ ମିଳିଲା ଜାମିନ…..
ଆସନ୍ତାକାଲି ସୂର୍ଯ୍ୟଗ୍ରହଣ….
ଆଜିଠୁ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬…..