ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜେନ୍-ଜେଡ୍ ବିକ୍ଷୋଭ, ହିଂସା ଓ ପୋଡ଼ାଜଳାରେ ଛାରଖାର ହୋଇଥିବା ନେପାଳକୁ ସ୍ବାଭାବିକ ଅବସ୍ଥା ଫେରିବାରେ ଲାଗିଛି। ରାଜଧାନୀ କାଠମାଣ୍ଡୁ ସମେତ ଦେଶର ଅନ୍ୟ କୌଣସି ସ୍ଥାନରେ ବୁଧବାର ହିଂସାକାଣ୍ଡ ଘଟି ନାହିଁ। ବିକ୍ଷୋଭକାରୀଙ୍କ ଦାବି ଆଧାରରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଓ ତାଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ଇସ୍ତଫା ଦେବା ପରେ ଦେଶରେ ରାଜନୈତିକ ସଂକଟ ସୃଷ୍ଟି ହୋଇଛି। ଏହି ରାଜନୈତିକ ଅଚଳାବସ୍ଥା ପରିପ୍ରେକ୍ଷୀରେ ଅନ୍ତରୀଣ ସରକାର ଗଠନ ଲାଗି କଥାବାର୍ତ୍ତା ଆରମ୍ଭ ହୋଇଛି। ସେନାମୁଖ୍ୟ ଜେନେରାଲ ଅଶୋକ ରାଜ ସିଗଡେଲ ବିକ୍ଷୋଭକାରୀ ଜେନ୍-ଜେଡ୍ଙ୍କ ପ୍ରତିନିଧି ଦଳ ସହିତ କଥାବାର୍ତ୍ତା କରିଛନ୍ତି। ହିଂସା ଏବଂ କ୍ଷମତା ସଙ୍କଟ ମଧ୍ୟରେ ଜେନ-ଜେଡ୍ ଆନ୍ଦୋଳନକାରୀଙ୍କ ମଧ୍ୟରୁ କିଏ ଦେଶର ଶାସନ ଦାୟିତ୍ବ ନେବ ତାହା ସ୍ଥିର କରିବା ଲାଗି ବୈଠକ ହୋଇଛି। ଅନ୍ଲାଇନରେ ହୋଇଥିବା ବୈଠକରେ ୫୦୦୦ରୁ ଅଧିକ ଯୁବକ ଅଂଶଗ୍ରହଣ କରିଥିଲେ। ଏଥିରେ ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କିଙ୍କୁ ସର୍ବାଧିକ ସମର୍ଥନ ମିଳିଥିଲା। କାଠମାଣ୍ଡୁ ମେୟର ବାଲେନ୍ ଶାହା, ଯାହାଙ୍କୁ ଏ ପର୍ଯ୍ୟନ୍ତ ଜେନ୍-ଜେଡ୍ ଆନ୍ଦୋଳନର ନେତା ଭାବରେ ବିବେଚନା କରାଯାଉଥିଲା, ତାଙ୍କ ସପକ୍ଷରେ କୌଣସି ମତାମତ ମିଳିନାହିଁ। ତେଣୁ ସୁଶୀଲା କାର୍କିଙ୍କୁ ଆଗାମୀ ଅନ୍ତରୀଣ ସରକାରରେ ପ୍ରଧାନମନ୍ତ୍ରୀ କରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏପରି କି ଭୋଟିଂରେ ଏବେ ସୁଶୀଳା କାର୍କିଙ୍କୁ ସର୍ବାଧିକ ସମର୍ଥନ ମିଳିଛି। ସୁଶୀଳା କାର୍କି ବନାରସ ହିନ୍ଦୁ ୟୁନିଭର୍ସିଟିରୁ ପୋଷ୍ଟ ଗ୍ରାଜୁଏଟ କରିଥିଲେ। ନେପାଳର ବିରାଟ ନଗରରେ ୭ ଜୁନ୍ ୧୯୫୨ରେ ଜନ୍ମ ଗ୍ରହଣ କରିଥିବା ସୁଶୀଳା କାର୍କୀ ନେପାଳ ସୁପ୍ରିମକୋର୍ଟର ପ୍ରଥମ ମହିଳା ପ୍ରଧାନ ବିଚାରପତି। ସେ ୨୦୧୬ ପର୍ଯ୍ୟନ୍ତ ଏହି ପଦଭାର ସମ୍ଭାଳିଥିଲେ।






More Stories
ହାଇଦ୍ରାବାଦ ଯାଉଥିବା ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ…..
ସମ୍ବିଧାନ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଉଛି ବିଜେପି……
ଦିଲ୍ଲୀରେ ବିଶ୍ବହିନ୍ଦୁ ପରିଷଦର ବିକ୍ଷୋଭ…..