ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ବର୍ବରତାର ସବୁ ସୀମା ଟପିଯାଇଛି | ତାଲିବାନ୍ କ୍ରୁର ଶାସନର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି। ୪ ଅପହରଣ ଅଭିଯୁକ୍ତଙ୍କୁ ହତ୍ୟା କରି ସେମାନଙ୍କ ମୃତଦେହକୁ ତାଲିବାନ୍ ବିଭିନ୍ନ ସହରର ମୁଖ୍ୟ ରାସ୍ତାରେ ଝୁଲାଇ ଦେଇଛି। ସେଥିମଧ୍ୟରୁ ଗୋଟିଏ ମୃତଦେହ ହେରତ୍ ସହର ମୁଖ୍ୟ ଛକରେ ଝୁଲାଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। କହିବା ଅନୁଯାୟୀ ତାଲିବାନୀମାନେ ହେରତ୍ ମୁଖ୍ୟଛକକୁ ୪ଟି ମୃତଦେହ ନେଇ ଆସିଥିଲେ। ଏକ ଅପହରଣ ମାମଲାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଧରିବା ପରେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ପରେ ମୃତଦେହଗୁଡ଼ିକୁ ହେରତ୍କୁ ଅଣାଯାଇଥିଲା। ସେଠାରେ ଗୋଟିଏକୁ କ୍ରେନ୍ ଦ୍ୱାରା ଝୁଲାଇଦେବା ପରେ ଅନ୍ୟ ୩ ମୃତଦେହକୁ ଅନ୍ୟାନ୍ୟ ଛକକୁ ନିଆଯାଇଥିଲା। ହେରତରେ ଥିବା ତାଲିବାନ୍ ପୋଲିସ ମୁଖ୍ୟ ଜିଆଉଲହକ୍ ଜଲାଲି କହିଛନ୍ତି,ଏକ ବାପ-ପୁଅଙ୍କୁ ଅଭିଯୁକ୍ତମାନେ ଅପହରଣ କରୁଥିବାବେଳେ ପୋଲିସ ଉପରକୁ ସେମାନେ ଗୁଳି ଚଳାଇଥିଲେ। ପାଲଟା ଗୁଳିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ତାଲିବାନ୍କୁ ଟାର୍ଗେଟ କରି ଶନିବାର ନଙ୍ଗରହାରରେ ଏକ କାର୍ ଉପରେ ବୋମାମାଡ଼ ହୋଇଛି। ଏଥିରେ ଜଣେ ଆହତ ହୋଇଛନ୍ତି। ତାଲିବାନ୍ର ମିଡିଆ ବିରୋଧୀ ଆଇନ ଲାଗୁ ହେଉଥିବା ସୂଚନା ମିଳୁଛି | ଆଫଗାନିସ୍ତାନରେ ଗଣମାଧ୍ୟମର ସ୍ବାଧୀନତା ଉପରେ ଅଙ୍କୁଶ ଲଗାଇବାକୁ ଆଇନ ଆଣିଛି ତାଲିବାନ୍। ମିଡିଆ ସଂସ୍ଥାଗୁଡ଼ିକ ପାଇଁ ତାଲିବାନ୍ ୧୧ ନିୟମ ମାନିବା ବାଧ୍ୟତାମୂଳକ କରିଛି। ନୂଆ ନିୟମରେ ଇସ୍ଲାମ ବିରୋଧୀ କିମ୍ବା ଜାତୀୟ ବ୍ୟକ୍ତିବିଶେଷଙ୍କକୁ ଅପମାନିତ କରୁଥିବା ଭଳି ରିପୋର୍ଟ ପ୍ରକାଶନ ଉପରେ କଟକଣା ଲଗାଯାଇଛି। ଏଥି ସହିତ ସାମ୍ବାଦିକ ଓ ସରକାରୀ ଗଣମାଧ୍ୟମ କାର୍ଯ୍ୟାଳୟ ମଧ୍ୟରେ ସମନ୍ବୟ ରକ୍ଷା କରି ଖବର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମ ନ ମାନିଲେ ସମ୍ପୃକ୍ତ ସଂସ୍ଥା ଓ ଖବରଦାତାଙ୍କୁ ଦଣ୍ଡିତ କରାଯିବ ବୋଲି କୁହାଯାଇଛି। ସ୍ଥିତ ପ୍ରେସ୍ ଫ୍ରିଡମ୍ ସଂସ୍ଥାର ଜଣେ ବରିଷ୍ଠ ସଦସ୍ୟ ଷ୍ଟିଭେନ ବଟଲର କହିଛନ୍ତି, ଆଫଗାନିସ୍ତାନରେ ଖବରଦାତାମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଶତାଧିକ ଆଫଗାନ୍ ଖବରଦାତାଙ୍କ ସହାୟତା ପାଇଁ ତାଙ୍କ ସଂସ୍ଥାକୁ ଇ-ମେଲ୍ କରୁଛନ୍ତି। ରିପୋର୍ଟ ଅନୁସାରେ, ଆଫଗାନିସ୍ତାନରେ ଅଶ୍ରଫ ଗନିଙ୍କ ସରକାର ହଟିବା ପରେ ଦୈନିକ କାର୍ଯ୍ୟକ୍ରମ ଜାରି ରଖିବା ଓ କର୍ମଚାରୀଙ୍କୁ ଦରମା ଦେବାରେ ଅସୁବିଧା ଯୋଗୁ ୧୫୦ରୁ ଊର୍ଦ୍ଧ୍ୱ ଗଣମାଧ୍ୟମ ସଂସ୍ଥା ବନ୍ଦ ହୋଇଯାଇଛି। ତାଲିବାନ୍ କ୍ରମାଗତ ଭାବରେ ଗଣମାଧ୍ୟମର ‘ସୂଚନା ଅଧିକାର’ରେ ହସ୍ତକ୍ଷେପ କରୁଥିବାରୁ ଯାହା ସାମ୍ବାଦିକଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଏହାବାଦ୍ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ଅନେକ ପ୍ରମୁଖ ଖବରକାଗଜ ସଂସ୍ଥା ମୁଦ୍ରଣ କାର୍ଯ୍ୟ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି।
Discussion about this post