Report Card Odisha

| Daily Odia News

ପାକିସ୍ତାନର ଚିନ୍ତା ବଢ଼ାଇଲା ତାଲିବାନ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫଗାନିସ୍ତାନରେ ଗତକାଲି ପାକିସ୍ତାନର ବିମାନ ଆକ୍ରମଣ ନେଇ ଏବେ ପାକ୍‌-ଆଫ୍‌ଗାନ ସଂପର୍କ ଭୀଷଣ ତିକ୍ତ ହୋଇଉଠିଛି। ପାକିସ୍ତାନକୁ ବିମାନ ଆକ୍ରମଣର କଡ଼ା ଜବାବ ମିଳିବ ବୋଲି ତାଲିବାନ ସରକାର ଘୋଷଣା କରିଥିବା ବେଳେ ଆଜି ସୀମାରେ ୧୫ ହଜାରରୁ ଅଧିକ ତାଲିବାନୀ ଲଢ଼ୁଆ ମୁତୟନ କରି ପାକିସ୍ତାନ ପାଇଁ ଚ୍ୟାଲେଂଜ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ଦୀର୍ଘ ଦଶନ୍ଧି ଧରି ପାକିସ୍ତାନ ରଣନୈତିକ କାରଣରୁ ତାଲିବାନକୁ ପୋଷଣ କରୁଥିବା ବେଳେ ଏବେ ସ୍ଥିତି ବଦଳି ଯାଇଛି। ‘ତେହରିକ-ଏ-ତାଲିବାନ ପାକିସ୍ତାନ ସଂଗଠନ ପାକିସ୍ତାନରେ ସେନା ଓ ପୁଲିସକୁ ଟାର୍ଗେଟ୍‌ କରି ଗୋଟିଏ ପରେ ଗୋଟିଏ ଆକ୍ରମଣ କରୁଥିବାରୁ ଏବେ ଏହି ସଂଗଠନକୁ ନିପାତ କରିବା ପାଇଁ ପାକିସ୍ତାନ ଅଫ୍‌ଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍ କରୁଛି। ପାକିସ୍ତାନ ଏବେ ବଡ଼ ଧରଣର ତାଲିବାନ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିବା ବେଳେ ଏହାକୁ ନେଇ ଆଭ୍ୟନ୍ତରୀଣ ରାଜନୀତି ମଧ୍ୟ ସରଗରମ ହୋଇଛି। ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)ର ହଜାର ହଜାର ସମର୍ଥକ ପାକିସ୍ତାନରେ ଥିବାରୁ ସ୍ଥିତି ବିସ୍ଫୋରକ ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ତାଲିବାନ ଅଧିକାରୀଙ୍କ କହିବାନୁଯାୟୀ, ଟିଟିପିକୁ ଟାର୍ଗେଟ କରି ପାକିସ୍ତାନ ଗତକାଲି ବିମାନ ଆକ୍ରମଣ କରିଥିବା କହୁଥିବା ବେଳେ ପ୍ରକୃତରେ ଏହା ନିରୀହ ଆଫ୍‌ଗାନ ନାଗରିକଙ୍କୁ ହତ୍ୟା କରିଛି। ଏହି ଏୟାରଷ୍ଟ୍ରାଇକ୍‌ରେ ୪୬ ଜଣଙ୍କ ମୃତ୍ୟୁ ଘଟିଛି, ଯେଉଁଥିରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି ବୋଲି ଆଫ୍‌ଗାନ କର୍ତ୍ତୃପକ୍ଷ କହିଛନ୍ତି। କାବୁଲରେ ତାଲିବାନ ମୁଖପାତ୍ର କହିଛନ୍ତି ଯେ ଆମେ ଆକ୍ରମଣର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ରହିଛୁ ଏବଂ ଯେ କୌଣସି ସମୟରେ ଏହାର ଜବାବ ମିଳିବ। ପାକିସ୍ତାନର ସାମରିକ ଅଭିଯାନ ଅତ୍ୟନ୍ତ ବର୍ବର ଏବଂ ‘ସ୍ପଷ୍ଟ ଆକ୍ରମଣ’ ବୋଲି ସେ କହିଛନ୍ତି। ଆଜି ପ୍ରାୟ ୧୫,୦୦୦ ତାଲିବାନ ଲଢୁଆ କାବୁଲ, କାନ୍ଦାହାର ଏବଂ ହେରାତରୁ ପାକିସ୍ତାନର ଖୈବର ପଖତୁନଖୱା ପ୍ରଦେଶକୁ ଲାଗି ଥିବା ମୀର ଅଲ୍ଲୀ ସୀମାରେ ପହଞ୍ଚିଛନ୍ତି।

Breaking News