ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର ଗୋଆ ଅନ୍ତର୍ଗତ ମାପାସାସ୍ଥିତ ଜିଲ୍ଲା ତଥା ସେସନ୍ ଅଦାଲତ ଆଜି ସାମ୍ବାଦିକ ତରୁଣ ତେଜପାଲଙ୍କୁ ୨୦୧୩ର ଏକ ଦୁଷ୍କର୍ମ ମାମଲାରୁ ଦୋଷମୁକ୍ତ କରିଛନ୍ତି । ୨୦୧୩ରେ ଗୋଆର ଏକ ବିଳାସମୟ ହୋଟେଲ୍ର ଲିଫ୍ଟ୍ ମଧ୍ୟରେ ଜଣେ ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେଇଥିଲେ ବୋଲି ‘ତେହେଲ୍କା’ ପତ୍ରିକାର ପୂର୍ବତନ ମୁଖ୍ୟସମ୍ପାଦକ ତରୁଣ ତେଜପାଲଙ୍କ ନାମରେ ଅଭିଯୋଗ ହୋଇଥିଲା । ଉକ୍ତ ଯୌନ ନିର୍ଯାତନା ମାମଲାରେ ତାଙ୍କ ବିପକ୍ଷରେ ଥିବା ସମସ୍ତ ଅଭିଯୋଗରୁ ସେ ଆଜି ଦୋଷମୁକ୍ତ ହୋଇଛନ୍ତି। ରାୟ ଘୋଷିତ ହେବା ପରେ ଏକ ବିବୃତି ଦେଇ ତରୁଣ ତେଜପାଲ କହିଛନ୍ତି, ସତ୍ୟକୁ ସମର୍ଥନ କରି ରାୟ ଶୁଣାଇଥିବା ବିଚାରପତି କ୍ଷମା ଯୋଶୀଙ୍କ ନିକଟରେ ମୁଁ ଋଣୀ । ୨୦୧୩ ନଭେମ୍ବରରେ ଗୋଆ ପୋଲିସ ତରୁଣ ତେଜପାଲଙ୍କ ବିରୁଦ୍ଧରେ ଆଗତ ‘ଏଫ୍ଆଇଆର୍’ ପଞ୍ଜିକରଣ କରିବା ପରେ ସେ ଗିରଫ ହୋଇଥିଲେ। କିନ୍ତୁ, ୨୦୧୪ ମେ ମାସରୁ ସେ ଜାମିନ ପାଇ ଜେଲ୍ ବାହାରି ଆସିଥିଲେ। ଗୋଆ କ୍ରାଇମ୍ ବ୍ରାଞ୍ଚ୍ ମଧ୍ୟ ତେଜପାଲଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଥିଲା। ତାଙ୍କ ବିରୋଧରେ ‘ଆଇପିସି’ ଧାରା ୩୪୧, ୩୪୨, ୩୫୪, ୩୫୪-ଏ, ୩୫୪-ବି, ୩୭୬ (୨) ଏବଂ ୩୭୬ (୨) ପ୍ରଭୃତି ଲାଗୁ କରାଯାଇଥିଲା।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ବ୍ୟବଚ୍ଛେଦ ପରେ ହଲଚଲ ହେଲା ମୃତଦେହ…..