Report Card Odisha

| Daily Odia News

ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଲୋକେ ଆଦୌ ଭୟଭୀତ ହୁଅନ୍ତୁନି, ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ପ୍ରଶାସନକୁ କେବଳ ସମ୍ପୂର୍ଣ୍ଣ ସହଯୋଗ କରନ୍ତୁ। ଏମିତି ବର୍ଷା, ବାତ୍ୟା ଆସୁଥିବ ଓଡ଼ିଶାବାସୀ ସୁରକ୍ଷିତ ରହୁଥିବେ ।’ ଆଜି ରାଜ୍ୟବାସୀଙ୍କୁ କିଛି ଏଭଳି ବାର୍ତ୍ତା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସମ୍ଭାବ୍ୟ ବାତ୍ୟା ର ମୁକାବିଲା ନିମନ୍ତେ କେବଳ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ପ୍ରସ୍ତୁତ ନାହାନ୍ତି। ଏଥିନିମନ୍ତେ ପୂରା ୩୦ ଜିଲ୍ଲା ପ୍ରସ୍ତୁତ ରହିଛି। ଯଦି, ସମ୍ଭାବ୍ୟ ବାତ୍ୟାର ଗତିପଥ ବଦଳିବ ତାକୁ ଦୃଷ୍ଟିରେ ରଖି ତତ୍‌କ୍ଷଣାତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସମ୍ଭାବ୍ୟ ବାତ୍ୟାର ସ୍ଥିତିକୁ ନେଇ ଆଜି ମୁଖ୍ୟ ଶାସନ ସଚିବ, ଏସଆରସି ସମୀକ୍ଷା କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମଧ୍ୟ ସମୀକ୍ଷା କରୁଛନ୍ତି ଓ ଜୁରୁରୀ ବୈଠକ ଡାକିଛନ୍ତି। ଏହି ସମୟରେ ୩୦ ଜିଲ୍ଲାରେ ଓଡ୍ରାଫ୍ ଟିମ୍ ମୁତୟନ ରହିବେ, NDRF ଟିମକୁ ଆଲର୍ଟ ରଖାଯାଇଛି। ସମୟ ଯେତେ ପାଖେଇ ଆସିବ, ସ୍ଥାନାନ୍ତର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ। ଆବଶ୍ୟକ ହେଲେ ଯଥେଷ୍ଟ ଆଗରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ, କେହି ଭୟଭୀତ ହୁଅନ୍ତୁନି ବୋଲି କହିଛନ୍ତି ମନ୍ତ୍ରୀ। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ କଡ଼ା ବାରଣ କରାଯାଇଛି। ଯଦି ଟ୍ରଲର ମାଲିକ ଜୋର୍ କରି ସେମାନଙ୍କୁ ପଠାନ୍ତି ତା’ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି। ଆସନ୍ତା ୨୪ ଓ ୨୫ ତାରିଖ ଆମ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ସମ୍ଭାବ୍ୟ ବାତ୍ୟା ହେତୁ ଉକ୍ତ ସମୟରେ ବହୁ ଜାଗାରେ କ୍ଷୟକ୍ଷତି ହେବା ନେଇ ଆକଳନ କରାଯାଇଛି। ହେଲେ ଏଯାଏ ଏଥିରେ କୌଣସି ସ୍ପଷ୍ଟତା ଆସିନି। ମାତ୍ର ଏଥିପାଇଁ ସବୁ ବିଭାଗକୁ ସଜାଗ କରାଯାଇଛି, ଆମେ ସତର୍କ ରହିଛୁ। ରିଲିଫ, ରେସକ୍ୟୁ, ଅପରେସନକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଧୀରେ ଧୀରେ ବର୍ଷା ପବନ ବଢ଼ିବା ଆରମ୍ଭ ହେଲେ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟାକୁ ବି ଜୋରଦାର କରାଯିବ । କିନ୍ତୁ ଏବେଠୁ ଆମେ ଆଗୁଆ ସ୍ଥାନାନ୍ତର ପାଇଁ ବି ପ୍ରସ୍ତୁତ ଅଛୁ । ଏଥିପାଇଁ ଲୋକଙ୍କ ସହଯୋଗ ଦରକାର। କାରଣ ବିପଦ ଆସିବା ପର୍ଯ୍ୟନ୍ତ ଅପେକ୍ଷା ନ କରି ତା’ ପୂର୍ବରୁ ଲୋକେ ଇଚ୍ଛା ପ୍ରକାଶ କଲେ ଆମେ ସେମାନଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରିଦେବୁ ।

Breaking News