ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାକୁ ନେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିବୃତି ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଦାବିରେ ବିଜେଡି ପକ୍ଷରୁ ଦୁଇ ଦିନ ହେଲା ଗୃହରେ ହଟ୍ଟଗୋଳ ହେଉଛି। ଶେଷରେ ଆଜି ଅପରାହ୍ନରେ ସରକାରଙ୍କ ତରଫରୁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗୃହରେ ବିବୃତି ରଖିଛନ୍ତି। ସେ କହିଛନ୍ତି ଯେ ବିଧାୟକ ଜୟନାରାୟଣ ମିଶ୍ର ବିଧାନସଭା ବାହାରେ ଏକ ସାଧାରଣ ସଭାରେ ଦେଇଥିବା ବିବୃତି ସହ ସରକାର ସହମତ ନାହାନ୍ତି। ଏହା ତାଙ୍କର ବ୍ୟକ୍ତିଗତ ମତ। ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଓଡ଼ିଶା ପ୍ରଦେଶର ଏକତା, ଅଖଣ୍ଡତା ପାଇଁ ଆମ ସରକାର ବଦ୍ଧପରିକର ଏବଂ ଏନେଇ କାହା ମନରେ ଦ୍ବନ୍ଦ୍ବ ରହିବା ଆବଶ୍ୟକ ନାହିଁ। ରାଜ୍ୟର ପ୍ରତ୍ୟେକ ଅଞ୍ଚଳର ସମଗ୍ର ବିକାଶ ପାଇଁ ସରକାର କାର୍ଯ୍ୟରତ। ଏଥିପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ସଶକ୍ତ ଓ କ୍ରିୟାଶୀଳ କରିବା ସହ ଦକ୍ଷିଣ ଓ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରି ସରକାର ରାଜ୍ୟର ସମଗ୍ର ବିକାଶ ପାଇଁ ଗଠନମୂଳକ କାର୍ଯ୍ୟ କରୁଛନ୍ତି। ବୀର ସୁରେନ୍ଦ୍ର ସାଏ ଓ ସହିଦ ମାଧୋ ସିଂହଙ୍କର ଏ ରାଜ୍ୟର ସ୍ବାଧୀନତା ପାଇଁ ପ୍ରାଣବଳି ଏବଂ ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଅବଦାନ ଓଡ଼ିଆ ଜାତି ପାଇଁ ଚିରସ୍ମରଣୀୟ। ରାଜନୀତିରେ ଆଲୋଚନା, ସମାଲୋଚନା ଓ ବିକ୍ଷୋଭ ପ୍ରଦର୍ଶନ ଏକ ସାମ୍ବିଧାନିକ ଅଧିକାର। କିନ୍ତୁ ଆଜି ଗୃହରେ ଯେପରି ଭାବେ ବିରୋଧୀ ଦଳ ପକ୍ଷରୁ ହିଂସାତ୍ମକ ଓ ଅସଂସଦୀୟ ଆଚରଣ କରାଗଲା, ତାହା ଅତ୍ୟନ୍ତ ନିନ୍ଦନୀୟ। ସରକାର ଯେକୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଏବଂ ଆମ ସରକାର ତାଙ୍କୁ ଆଲୋଚନାକୁ ଆମନ୍ତ୍ରଣ କରୁଛନ୍ତି। ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ସମସ୍ତେ ମିଳିମିଶି ଗୃହ ଚଳାଇବା ସହ ରାଜ୍ୟକୁ ବିକାଶ ଓ ପ୍ରଗତିର ରାସ୍ତାରେ ନେବାକୁ ଅନୁରୋଧ। ଆଇନ ମନ୍ତ୍ରୀଙ୍କ ଏହି ବିବୃତିକୁ ଗ୍ରହଣ କରିନି ବିଜେଡି। ଦଳର ବରିଷ୍ଠ ବିଧାୟକ ଅରୁଣ ସାହୁ ଗଣମାଧ୍ୟମକୁ କହିଛନ୍ତି, ଆମେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲୁ। କିନ୍ତୁ ମୁଖ୍ୟମନ୍ତ୍ରୀ ତ ବିବୃତି ଦେଲେ ନାହିଁ। ଉପମୁଖ୍ୟମନ୍ତ୍ରୀ ଦୁଇ ଜଣ ବି କହିବାକୁ ଉଚିତ ମଣିଲେ ନାହିଁ। ଏହା ଜୟନାରାୟଣ ମିଶ୍ରଙ୍କ ବ୍ୟକ୍ତିଗତ ମତ ବୋଲି ମନ୍ତ୍ରୀ ବିଧାନସଭାରେ କହିଲେ। ଶ୍ରୀ ମିଶ୍ର ଶାସକ ଦଳର ଜଣେ ବରିଷ୍ଠ ବିଧାୟକ। ପୁଣି ପୂର୍ବରୁ ମନ୍ତ୍ରୀ ଓ ବିରୋଧୀ ଦଳ ନେତା ଥିଲେ। ତାଙ୍କ ମତକୁ କେବଳ ବ୍ୟକ୍ତିଗତ ମତ କହି ଏମିତି ଏଡ଼ାଇ ଦେଲେ ହେବ ନାହିଁ। ପୂର୍ବରୁ ଦେଇଥିବା ବୟାନକୁ ନେଇ ଅଟଳ ରହିଛନ୍ତି ଜୟନାରାୟଣ ମିଶ୍ର। ଆଜି ସେ ପୁଣି ମୁହଁ ଖୋଲିବା ସହ ନିଜ ବୟାନରେ କୌଣସି ପରିବର୍ତ୍ତନ କରିବେ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଛନ୍ତି। ସେ କହିଛନ୍ତି, ଜଣେ ମୁଖ୍ୟମନ୍ତ୍ରୀ ୨୪ବର୍ଷ ଓଡ଼ିଆ କହିଲେ ନାହିଁ, ଏଥିରେ ଓଡ଼ିଆ ଅସ୍ମିତା କ୍ଷୁଣ୍ଣ ହେଲାନାହିଁ ? କିନ୍ତୁ ମୁଁ ମୋ ଅଞ୍ଚଳର ବିକାଶ କଥା କହିଲେ ଓଡ଼ିଆ ଅସ୍ମିତା ଯଦି କ୍ଷୁଣ୍ଣ ହେବ ତେବେ ଏହାକୁ ନେଇ ମୋର କିଛି କହିବାର ନାହିଁ। ରାଜ୍ୟ ପତାକା କିମ୍ବା ରାଜ୍ୟ ସଙ୍ଗୀତ ରହିବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଉତ୍କଳ, କଳିଙ୍ଗ ଓ କୋଶଳ ମିଶି ଓଡ଼ିଶା ଗଠନ ହୋଇଥିଲା। ବନ୍ଦେ ଉତ୍କଳ ଜନନୀରେ କେବଳ ଉତ୍କଳର ପ୍ରଶଂସା କରାଯାଇଛି। ବନ୍ଦେ ଓଡ଼ିଶା ଜନନୀ କରିବାରେ ମୋର କୌଣସି ଆପତ୍ତି ନାହିଁ। ୩ଟି ଅଞ୍ଚଳ ମିଶାଇ ଓଡ଼ିଶା ପ୍ରଦେଶ ଗଠନ ହେବ, କିନ୍ତୁ ଗୋଟିଏ ଅଞ୍ଚଳର ଜୟଗାନ ଗ୍ରହଣଯୋଗ୍ୟ କି? ବିକାଶ ସବୁ ଦିଗରେ ପହଞ୍ଚିବା କଥା। ସବୁ ଅଞ୍ଚଳର ଭାଷା ସଂସ୍କୃତିକୁ ସମ୍ମାନ ଦେବାର ଅଛି। ପଶ୍ଚିମ ଓଡ଼ିଶାରେ ବିଜେଡିର ସ୍ଥିତି ନାହିଁ ବୋଲି ସେମାନେ ପ୍ରତିବାଦ କରୁଛନ୍ତି। ବିଜେଡି ଶାସନ ସମୟରେ ପଶ୍ଚିମ ଓଡ଼ିଶା ଛାଡ଼ନ୍ତୁ ଉପକୂଳ ଓଡ଼ିଶାର କ’ଣ ବିକାଶ ହୋଇଛି, ବିଜେଡି ଏହାର ହିସାବ ଦେଉ। ଓଡ଼ିଶାର ୩୦ ଜିଲ୍ଲାକୁ ମିଶାଇ ଗୋଟିଏ ସଂଗୀତ କରାଗଲେ ସବୁ ଅଞ୍ଚଳର ସମ୍ମାନ ରହିବ।
More Stories
ଖୁବ୍ ଶୀଘ୍ର ମିଳିବ ଗହମ: ମନ୍ତ୍ରୀ……
ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି……
ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହା…..