Report Card Odisha

| Daily Odia News

ପରବର୍ତ୍ତୀ ବିଶ୍ବ ମହାମାରୀ ଆମେରିକାରୁ ଆରମ୍ଭ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପରବର୍ତ୍ତୀ ବିଶ୍ବ ମହାମାରୀ ଆମେରିକାରୁ ଆରମ୍ଭ ହୋଇପାରେ ବୋଲି ହାର୍ଭାର୍ଡ ଲ ସ୍କୁଲ ଓ ନ୍ୟୁୟର୍କ ୟୁନିଭର୍ସିଟିର ଏକ ରିପୋର୍ଟରେ ଦାବି କରାଯାଇଛି। ଆମେରିକୀୟମାନେ ଏପରି ହେବ ନାହିଁ ବୋଲି ଭାବୁଥିବା ବେଳେ ଦେଶର ନିୟମକାନୁନ ଏତେ ଢିଲା ଯେ ପ୍ରାଣୀମାନଙ୍କଠାରୁ ମଣିଷକୁ ଭୂତାଣୁ ଡେଇଁବା ଓ ମହାମାରୀ ସୃଷ୍ଟି କରିବା ଅତି ସହଜ ବୋଲି ରିପୋର୍ଟରେ କୁହାଯାଇଛି।  ମୁଖ୍ୟ ଲେଖକ ଆନ ଲିଣ୍ଡର କହିଛନ୍ତି, ଆମେରିକୀୟମାନଙ୍କ ମଧ୍ୟରେ ଭୁଲ୍ ଧାରଣା ରହିଛି ଯେ ପ୍ରାଣୀରୁ ମଣିଷକୁ ଡେଉଁଥିବା ରୋଗ ଆଉ କେଉଁ ଦେଶରେ ହୋଇପାରେ, ଆମେରିକାରେ ହେବ ନାହିଁ। କିନ୍ତୁ ବାସ୍ତବରେ ଆମେରିକାର ପରିସ୍ଥିତି ଯୋଗୁ ଏହା ଘଟିବା ଅତି ସହଜ। ଆମେରିକାରେ ବର୍ତ୍ତମାନ ଅନେକ ପ୍ରାଣୀ ଫାର୍ମରେ ସଂଖ୍ୟାଧିକ ପ୍ରାଣୀଙ୍କୁ ଅତ୍ୟନ୍ତ ଖରାପ ପରିବେଶରେ ପାଳନ କରାଯାଉଛି। ସେଠାରେ ପ୍ରାଣୀ-ପ୍ରାଣୀ ଓ ପ୍ରାଣୀ-ମଣିଷ ଭିତରେ ଦୈହିକ ସଂସର୍ଗ ଘଟୁଛି। ତେଣୁ ରୋଗ ସଂକ୍ରମଣ ହେବା ଅଧିକ ସହଜ। କେତେକ ଅଞ୍ଚଳରେ ବନ୍ୟ ପ୍ରାଣୀଙ୍କ କାରବାର କରାଯାଉଛି, ଯେଉଁମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଉ ନାହିଁ। ମିଙ୍କ ପ୍ରଭୃତି ପ୍ରାଣୀଙ୍କ ପାଳନ ଓ ପରବର୍ତ୍ତୀ କାରବାର ଅତ୍ୟନ୍ତ ଅସୁରକ୍ଷିତ ରହିଛି। ସେମାନଙ୍କଠାରୁ ରୋଗ ମଣିଷକୁ ସଂକ୍ରମିତ ହୋଇପାରେ ଏବଂ ଜଗତୀକରଣ ଜରିଆରେ ତାହା ଅନ୍ୟ ଦେଶକୁ ସଂଚାରିତ ହୋଇପାରେ। ପାଳନ ଓ ଅନ୍ୟ କାରଣ ପାଇଁ ଆମେରିକାକୁ ପ୍ରତିବର୍ଷ ୨୨୦ ନିୟୁତ ବନ୍ୟପ୍ରାଣୀଙ୍କୁ ଆମଦାନି କରାଯାଉଛି। ସେମାନଙ୍କ ଆମଦାନି ପାଇଁ କୌଣସି ଆଇନକାନୁନ ନାହିଁ। ତେଣୁ ଆମେରିକାରେ କୋଭିଡ୍ ପରି ମହାମାରୀ ବ୍ୟାପିବା ଓ ଆମେରିକାରୁ ଅନ୍ୟ ଦେଶକୁ ସଂଚାରିତ ହେବାର ସମ୍ଭାବନା ଅଧିକ ବୋଲି ଆନ ଲିଣ୍ଡର କହିଛନ୍ତି। ଏ ବାବଦ ରିପୋର୍ଟ ଆମେରିକାରେ ହଇଚଇ ସୃଷ୍ଟି କରିଛି।

Breaking News