Report Card Odisha

| Daily Odia News

ଖଣି ଦୁର୍ନୀତିର ତଦନ୍ତ ଦାବି କଲେ ବିରୋଧୀ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଓଡ଼ିଶାରେ ଖଣି ଖନନ ନାଁରେ ପ୍ରାକୃତିକ ସବୁଜିମାକୁ ଧ୍ବଂସ କରାଯାଇଛି। ଖଣି ନିଲାମ ନେଇଥିବା ସଂସ୍ଥାଗୁଡ଼ିକ ସ୍ଥାନୀୟ ଲୋକଙ୍କୁ ମାସିକ କିଛି ଭତ୍ତା ଦେଇ ପାଟି ଚୁପ୍‌ କରାଇଦେଇଛନ୍ତି। ଓଡ଼ିଶାରେ ‌େବଆଇନ ଖଣି ମାମଲାରେ ଶାହ କମିସନ ୬୦ହଜାର କୋଟି ଟଙ୍କାର ଜରିମାନା ଲଗାଇଥିଲେ। ହେଲେ ବିଜେଡି ସରକାର ଅମଳରେ ୯ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବା ଜଣାପଡ଼ିଛି। ବହୁ କମ୍ପାନିଙ୍କୁ ବହୁତ କମ୍‌ ମୂଲ୍ୟରେ ଖଣି ଲିଜ୍ ଦିଆଯାଇଛି। ଏହାର କେବେ ତଦନ୍ତ ହେବ? ରାଜ୍ୟ ସରକାର ଏନେଇ କ’ଣ ପଦକ୍ଷେପ ନେଇଛନ୍ତି ତାହା ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ ବିଧାୟକ ସାଗର ଚରଣ ଦାସ ଆଜି ଗୃହରେ ଉଠାଇଛନ୍ତି। ଆଜି ବିଧାନସଭାରେ ଇସ୍ପାତ ଓ ଖଣି ବିଭାଗର ଖର୍ଚ୍ଚ ଦାବି ଆଲୋଚନାବେଳେ ବିଧାୟକ ଶ୍ରୀ ଦାସ କହିଛନ୍ତି ଯେ ଖଣି ଖନନ ନାଁରେ ଦଳିତ, ଆଦିବାସୀଙ୍କୁ ବିସ୍ଥାପିତ କରି ଯଦି କିଛି ଲୋକ ଉପକୃତ ହେଉଛନ୍ତି ଏଇଟା ବିକାଶ ନୁହେଁ ଶୋଷଣ। ପ୍ରକୃତିକୁ ଧ୍ବଂସ କରି, ଜୈବ ବିବିଧତାକୁ ନଷ୍ଟ କରି ରାଜ୍ୟର ବିକାଶ ହୁଏନି। କଂଗ୍ରେସ ବିଧାୟକ ସି.ଏସ୍ ରାଜନ ଏକ୍କା କହିଥି‌ଲେ ଯେଉଁ ଖଣିରେ ରାଜ୍ୟ ସରକାର ଟନ୍ ପିଛା ୫ହଜାରରୁ ୬ହଜାର ଟଙ୍କା ପାଇବା କଥା ତାହାକୁ ୪୬୫ଟଙ୍କାରେ ଦିଆଯାଇଛି। ଏହାଦ୍ବାରା ରାଜ୍ୟ ସରକାର ବାର୍ଷିକ ହଜାରେ କୋଟିରୁ ଅଧିକ କ୍ଷତି ସହୁଛନ୍ତି। କଂଗ୍ରେସ ପକ୍ଷରୁ ବିଧାୟକ ଦାସରଥୀ ଗମାଙ୍ଗ ଏବଂ ନୀଳମାଧବ ହିକ୍କା ମଧ୍ୟ ଏହି ଖର୍ଚ୍ଚ ଦାବିକୁ ବିରୋଧ କରିଥିଲେ। ବିଜେଡି ବିଧାୟକ କଳିକେଶ ସିଂହଦେଓ ଖର୍ଚ୍ଚ ଦାବିକୁ ବିରୋଧ କରି କହିଥିଲେ, ଆଜି ରାଜ୍ୟରେ ଯେତେ ବଡ଼ ଶିଳ୍ପ ହୋଇଛି ସେଥିରୁ ୯୫% ସଂସ୍ଥାର ଏମ୍‌ଓୟୁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ହୋଇଛି। ୨୦୦୪ ମସିହାରେ ନବୀନ ପଟ୍ଟନାୟକ ଆଣିଥିବା ଆଇନ ଯୋଗୁ ଆଜି ରାଜ୍ୟକୁ ବକେୟା ୧ଲକ୍ଷ ୧୦ହଜାର କୋଟି ଟଙ୍କାର ଖଣି ରାଜସ୍ବ ମିଳିବାକୁ ଯାଉଛି। ଗଣେଶ୍ବର ବେହେରା କହିଥିଲେ ଓଡ଼ିଶା କୋଇଲା ଉପରେ ମେ’ ୨୦୧୨ରେ ୧୪% ରୟାଲଟି ଲାଗିଥିଲା। ପ୍ରତି ତିନି ବର୍ଷରେ ଏହା ବଢ଼ିବା କଥା। ୧୨ବର୍ଷ ହେଲା ଏହାକୁ କାହିଁକି ବଢ଼ାଯାଉନି? ସାରଦା ପ୍ରସାଦ ନାୟକ,ସଞ୍ଜିବ ମଲ୍ଲିକ ମଧ୍ୟ ଖର୍ଚ୍ଚ ଦାବିକୁ ବିରୋଧ କରିଥିଲେ। ଶାସକ ଦଳ ପକ୍ଷରୁ ଇରାଶିଷ ଆଚାର୍ଯ୍ୟ, ଅମରେନ୍ଦ୍ର ଦାସ, ଅଗସ୍ତି ବେହେରା, ଫକୀର ମୋହନ ନାୟକ, ବିଭୂତି ଭୂଷଣ ପ୍ରଧାନ, ନରସିଂହ ମାଡ଼କାମି ଓ ଟଙ୍କଧର ତ୍ରିପାଠୀ ପ୍ରମୁଖ ରାଜ୍ୟରେ କିପରି ବାଲି ଚୋରି ହେଉଥିଲା, ଉଦ୍ଦେଶ୍ୟ ମୂଳକ ଭାବେ ରାଜସ୍ବ ବିଭାଗରୁ ଲଘୁ ଖଣିଜକୁ କାଢ଼ି ଇସ୍ପାତ ଓ ଖଣି ବିଭାଗରେ ରଖାଯାଇଛି ସେନେଇ କହିଥିଲେ। ଏହାପରେ ବାଚସ୍ପତି ବାଚନିକ ଭୋଟ୍‌ରେ ବିଭାଗର ଖର୍ଚ୍ଚ ଦାବିକୁ ପାରିତ କରିଥିଲେ।

Breaking News