ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘ମିଡିଆ ଟ୍ରାଏଲ’କୁ ନେଇ ସୁପ୍ରିମ୍କୋର୍ଟ କଡ଼ା ଟିପ୍ପଣୀ ରଖିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ପକ୍ଷପାତପୂର୍ଣ୍ଣ ରିପୋର୍ଟଂ ପାଇଁ ଲୋକଙ୍କ ନିକଟକୁ ଭୁଲ୍ ବାର୍ତ୍ତା ଯାଉଛି ଏବଂ ଯେଉଁମାନେ ଅଭିଯୁକ୍ତ ସେମାନେ ହିଁ ଅପରାଧୀ ବୋଲି ଲୋକେ ଧରିନେଉଛନ୍ତି। ୨୦୧୭ର ଏକ ମାମଲାର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି, ମିଡିଆ ଯେଉଁଭଳି ବେପରୁଆ ଭାବେ ଖବର ପ୍ରସାରଣ କରୁଛି ତାହା ପୀଡ଼ିତଙ୍କ ବ୍ୟକ୍ତିଗତ ଗୋପନୀୟତାର ଅଧିକାରକୁ ଉଲ୍ଲଂଘନ କରୁଛି। ସୁପ୍ରିମ୍କୋର୍ଟ ଗୃହ ମନ୍ତ୍ରାଳୟକୁ ଅପରାଧିକ ମାମଲାରେ ପୋଲିସ କର୍ମୀଙ୍କ ମିଡିଆ ବୟାନ ଏବଂ ତଦନ୍ତ ଜାରି ରହିଥିବା ସମୟରେ ତଥ୍ୟ ପ୍ରଘଟ ନେଇ ବିସ୍ତୃତ ନିୟମାବଳି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ବାବଦରେ ସ୍ପଷ୍ଟ ନୀତି ସମ୍ବଳିତ ଗାଇଡ୍ଲାଇନ୍ସ ୩ ମାସ ମଧ୍ୟରେ ପ୍ରସ୍ତୁତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ ମିଡିଆ ଟ୍ରାଏଲ୍ଜନିତ ସମସ୍ୟା ଏବଂ ଅପରାଧିକ ମାମଲାରେ ପୁଲିସର ବୟାନକୁ ନେଇ ଉପୁଯୁଥିବା ସମସ୍ୟାର ସମାଧାନ ପାଇଁ ସମସ୍ତ ଡିଜିପି ସେମାନଙ୍କ ପ୍ରସ୍ତାବ ୧ ମାସ ମଧ୍ୟରେ ଗୃହ ମନ୍ତ୍ରାଳୟକୁ ପ୍ରଦାନ କରିବା ପାଇଁ ସୁପ୍ରିମ୍କୋର୍ଟ କହିଛନ୍ତି। ଏ ବାବଦରେ ଜାତୀୟ ମାନବାଧିକାର କମିସନଙ୍କ ମତାମତ ମଧ୍ୟ ଗ୍ରହଣ କରାଯାଇପାରିବ ବୋଲି କୋର୍ଟ କହିଛନ୍ତି। ଯେଉଁ ମାମଲାରେ ଯାଞ୍ଚ ଜାରି ରହିଥିବ ସେ କ୍ଷେତ୍ରରେ ଅଚାନକ ପୁଲିସ ଦ୍ବାରା ଜାରି କୌଣସି ବୟାନକୁ ନେଇ ମିଡିଆ ଟ୍ରାଏଲ ହେଲେ ଏହା ଦ୍ବାରା ନ୍ୟାୟିକ ପ୍ରଶାସନ ପ୍ରଭାବିତ ହେଉଛି । ତଦନ୍ତ ସମୟରେ କେଉଁ ପର୍ଯ୍ୟାୟରେ ବିବରଣୀ ପ୍ରଘଟ କରାଯିବ ତାହା ସ୍ଥିର କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୋର୍ଟ କହିଛନ୍ତି। ମିଡିଆରେ ସମସ୍ୟାର ଚିତ୍ରଣ ଏବଂ ବିଚାର ରଖିବା ପାଇଁ ଅଧିକାର ରହିଥିଲେ ମଧ୍ୟ ମିଡିଆ ଟ୍ରାଏଲ୍କୁ ଅନୁମତି ଦିଆଯିବା ଉଚିତ ନୁହେଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଅଦାଲତ କହିଛନ୍ତି ଯେ ପ୍ରତ୍ୟେକ ଅଭିଯୁକ୍ତ ନିରପେକ୍ଷ ତଦନ୍ତ ପ୍ରକ୍ରିୟାର ହକଦାର ।






More Stories
ଆଜିଠୁ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬…..
ଏପ୍ରିଲ ୨୨ରେ କେଦାରନାଥ…..
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..