Report Card Odisha

| Daily Odia News

ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ଉପରାଷ୍ଟ୍ରପତି….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ଉପରାଷ୍ଟ୍ରପତି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ୫ ବ୍ୟକ୍ତିତ୍ବଙ୍କୁ ସମ୍ମାନଜନକ ଡିଲିଇଟି ଉପାଧି ପ୍ରଦାନ କରାଯିବ। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନରାଲ ଅଫ୍‌ ଇଣ୍ଡିଆ (ସିଏଜି) ଗିରୀଶଚନ୍ଦ୍ର ମୁର୍ମୁ, ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଞ୍ଜୁ ପଣ୍ଡା, ଭାଭା ଆଟୋମିକ୍‌ ରିସର୍ଚ୍ଚ ସେଣ୍ଟର (ବାର୍କ)ର ନିର୍ଦେଶକ ଅଜିତକୁମାର ମହାନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଡ.ବିଜୟକୁମାର ସାହୁଙ୍କୁ ଏହି ଉପାଧି ପ୍ରଦାନ କରାଯିବ। ଉତ୍ସବରେ ୨୦୧୯-୨୦ ଶିକ୍ଷାବର୍ଷର ୪୧ ଜଣଙ୍କୁ ପିଏଚ୍‌ଡି ଓ ୯୦ ଜଣଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯିବ। ବିଶ୍ବବିଦ୍ୟାଳୟରେ ଉପ-ରାଷ୍ଟ୍ରପତି ଏକ ଘଣ୍ଟା ରହିବେ। ପୂର୍ବାହ୍ନ ୧୦ଟା ୩୦ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ଉପ-ରାଷ୍ଟ୍ରପତି ଶ୍ରୀ ନାଇଡୁ ବିଶ୍ବବିଦ୍ୟାଳୟରେ ପହଞ୍ଚିବେ। ୧୧ଟା ୩୦ରେ ଉପ-ରାଷ୍ଟ୍ରପତି ବିଶ୍ବବିଦ୍ୟାଳୟରୁ ଫେରିବେ।

ସମାବର୍ତ୍ତନ ଉତ୍ସବ ପୂର୍ବରୁ ଅଧ୍ୟାପକ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ RTPCR ଟେଷ୍ଟ କରାଯାଇଛି। କୋଭିଡ ନେଗେଟିଭ ରିପୋର୍ଟ ଥିବା ବ୍ୟକ୍ତି ହିଁ ଉତ୍ସବରେ ଯୋଗ ଦେଇପାରିବେ। ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଟ୍ୱିନ୍‌ ସିଟିରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବକାର୍ଯ୍ୟକ୍ରମ ପରେ ପୁଣି ଦିଲ୍ଲୀ ଫେରିଯିବେ ଉପରାଷ୍ଟ୍ରପତି। ସୂଚନା ଅନୁସାରେ -ଗତକାଲି କଟକରେ ଆଦିକବି ସାରଳା ଦାସଙ୍କ ୬ ଶହ ତମ ଜୟନ୍ତୀ ପାଳନ ସମାରୋହରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯୋଗ ଦେଇଥିଲେ । ଏହା ସହିତ ସେ ସାରଳା ସାହିତ୍ୟ ସଂସଦର ୪୦ତମ ପ୍ରତିଷ୍ଠା ଉତ୍ସବରେ ମଧ୍ୟ ଯୋଗଦେଇଥିଲେ ।

 

 

Breaking News