ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସମସ୍ତ ଲୋକସଭା ଏବଂ ରାଜ୍ୟସଭା ସାଂସଦମାନେ ଆସନ୍ତା ସପ୍ତାହରେ ସମ୍ବିଧାନ ଉପରେ ବିତର୍କ ପାଇଁ ରାଜି ହୋଇଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସହ ସର୍ବଦଳୀୟ ବୈଠକ ପରେ ଏହି ନିଷ୍ପତ୍ତି ହୋଇଛି। ଡିସେମ୍ବର ୧୩ ଓ ୧୪ ତାରିଖରେ ଲୋକସଭାରେ ସମ୍ବିଧାନ ଉପରେ ବିତର୍କ ହେବ। ଏହାପରେ ଡିସେମ୍ବର ୧୬ ଓ ୧୭ ତାରିଖରେ ରାଜ୍ୟସଭାରେ ସମ୍ବିଧାନ ଉପରେ ବିତର୍କ ହେବ ବୋଲି କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଆଜି ସଂସଦ ବାହାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ରିଜିଜୁ କହିଛନ୍ତି, ସଂସଦୀୟ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଆଦୌଁ ଠିକ୍ ନୁହେଁ। ଆସନ୍ତାକାଲିଠାରୁ ସଂସଦ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ଆମେ ବିରୋଧୀ ନେତାମାନଙ୍କୁ ଅନୁରୋଧ କରୁଛୁ। ଉଲ୍ଳେଖଯୋଗ୍ୟ ଯେ ସମ୍ବିଧାନ ସଭା ଦ୍ବାରା ସମ୍ବିଧାନ ଗ୍ରହଣ କରାଯିବାର ୭୫ ବର୍ଷ ପୂର୍ତ୍ତି ଅବସରରେ ବିରୋଧୀ ଦଳ ନେତାମାନେ ଉଭୟ ଗୃହରେ ସମ୍ବିଧାନ ଉପରେ ଆଲୋଚନା ପାଇଁ ଦାବି କରିଥିଲେ। ଶେଷରେ ବାଚସ୍ପତିଙ୍କ ସହ ସର୍ବଦଳୀୟ ବୈଠକ ପରେ ସମ୍ବିଧାନ ଉପରେ ବିତର୍କ ହେବ ବୋଲି ସ୍ଥିର ହୋଇଛି। ନଭେମ୍ବର ୨୫ରେ ଶୀତ ଅଧିବେଶନ ଆରମ୍ଭ ହେବା ପରଠାରୁ ଆଜି ପର୍ଯ୍ୟନ୍ତ କୌଣସି ଗୋଟିଏ ଦିନ ଗୃହ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହୋଇପାରିନି। ଆଜି ମଧ୍ୟ ଉଭୟ ଲୋକସଭା ଏବଂ ରାଜ୍ୟସଭା ଦିନକ ପାଇଁ ମୁଲତବୀ ରହିଛି। ଆଦାନୀ ଦୁର୍ନୀତି ମାମଲା, ଉତ୍ତରପ୍ରଦେଶରେ ସମ୍ଭଲ ହିଂସା ଏବଂ ଅନ୍ୟ ପ୍ରସଙ୍ଗରେ ବିରୋଧୀ ଦଳ ନେତାମାନେ ଆଜି ଗୃହରେ ହୋହଲ୍ଲା କରିଥିଲେ। ଲୋକସଭାରେ ଆଜି ବିରୋଧୀ ସାଂସଦମାନେ ଗୃହର ମଧ୍ୟ ଭାଗକୁ ଯାଇ ସ୍ଲୋଗାନ ଦେବା ସହ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ପ୍ରଶ୍ନକାଳ ପାଇଁ ଅନୁମତି ଦେବାକୁ ବାଚସ୍ପତି ଓମ୍ ବିର୍ଲା ଅନୁରୋଧ କରିଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରିନଥିଲେ। ହୋହଲ୍ଲା ଜାରି ରହିବାରୁ ବାଚସ୍ପତି ବାଧ୍ୟ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଲେ। ଗୃହକାର୍ଯ୍ୟ ଆରମ୍ଭ ହେବାପରେ ବିରୋଧୀ ସଦସ୍ୟମାନେ ପୁଣି ହୋହଲ୍ଲା କରିଥିଲେ। ହୋହଲ୍ଲା ମଧ୍ୟରେ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଦ୍ବାରା ଉପକୂଳ ଜାହାଜ ଚଳାଚଳ ବିଲ୍ , ୨୦୨୪ ଗୃହରେ ଆଗତ ହୋଇଥିଲା। ଏହାପରେ ଦିନକ ପାଇଁ ଗୃହ କାର୍ଯ୍ୟ ମୁଲତବୀ ରଖିଥିଲା।ଆଜି ରାଜ୍ୟସଭାରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଧାରା ୨୬୭ ଅଧୀନରେ ୨୦ଟି ନୋଟିସ୍କୁ ବାତିଲ କରିଦେଇଛନ୍ତି। ସାଂସଦମାନେ ଗୃହର ଶୃଙ୍ଖଳା ବଜାୟ ରଖିବାପାଇଁ ଧନଖଡ଼ ଅନୁରୋଧ କରିଛନ୍ତି। ଗୃହକାର୍ଯ୍ୟରେ ବାରମ୍ବାର ବାଧା ଉପୁଜୁଥିବାରୁ ପ୍ରମୁଖ ବିଲ୍ ଆଗତ ହୋଇପାରୁନି କି ଆଲୋଚନା ହୋଇପାରୁନି।
More Stories
ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ବିଧାନସଭା ଶୀତ ଅଧିବେଶନ…..
ମୋ ବିରୋଧରେ ସଂସଦରେ କୁହାଯାଇଥିବା ଆପତ୍ତିଜନକ ଶବ୍ଦ ହଟାଯାଉ:ରାହୁଲ….
୩୧ ରେ ମିଳିବ ମାଧୋସିଂ ହାତ ଖର୍ଚ୍ଚ….