Report Card Odisha

| Daily Odia News

ଆଦିବାସୀ,ପଛୁଆବର୍ଗଙ୍କ ଆର୍ଥିକ ଓ ସାମାଜିକ ସଶକ୍ତୀକରଣ ହେବ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆଦିବାସୀ, ଦଳିତ, ସଂଖ୍ୟାଲଘୁଙ୍କ ପ୍ରତି ଏ ସରକାର ଆଦୌ ସଦୟ ନୁହନ୍ତି। ଏହି ବିଭାଗକୁ ପର୍ଯ୍ୟାପ୍ତ ଅନୁଦାନ ଦିଆଯାଉ ନାହିଁ ଓ କେନ୍ଦ୍ରୀୟ ଅନୁଦାନ ବଢ଼ୁ ନାହିଁ। ବିଭାଗ ଅନେକ କ୍ଷେତ୍ର ଅବହେଳିତ ହୋଇ ରହିଛି। ଲୋକଙ୍କ ଉପରେ ନିର୍ଯାତନା ମାମଲା ବଢ଼ୁଛି, ଦଣ୍ଡବିଧାନ ହାର କମୁଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପାଇଁ ମନ୍ତ୍ରୀଙ୍କ ଦ୍ବାରା ୨୦୨୬–୨୭ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନକୁ ବିରୋଧ କରି ଗୁରୁବାର ବିଧାନସଭାରେ ଏପରି କହିଛନ୍ତି ବିଜେଡି ଓ କଂଗ୍ରେସ ସଦସ୍ୟ। ତେବେ ବିଜେଡି ସରକାରଙ୍କୁ ଦୋଷାରୋପ କରିବା ସହ ଆମ ସରକାର ଆଦିବାସୀ, ଦଳିତ, ସଂଖ୍ୟାଲଘୁଙ୍କ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ବିଭାଗର ବଜେଟ ଆଲୋଚନାରେ ଉତ୍ତର ରଖି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ବିଜେଡି ସରକାରରେ ଏହି ବିଭାଗ ଅବହେଳିତ ହୋଇ ରହିଥିଲା। ଖୋଦ୍ ପୂର୍ବତନ ମନ୍ତ୍ରୀଙ୍କ ଜିଲାରେ ପ୍ରକଳ୍ପ ଅଧାପନ୍ତରିଆ ପଡିଥିଲା। ସଂସ୍କାର ଆଣିବା ପାଇଁ ସେତେବେଳେ କେହି ପାଟି ଫିଟାଇଲେ ନାହିଁ। ଆମ ସରକାର ପେସା ଆଇନ୍ ଲାଗୁ କରିବେ। ଉଚ୍ଚଶିକ୍ଷା କ୍ଷେତ୍ରରେ ଆମେ ସଂରକ୍ଷଣ ଦେବୁ। ଏହି ବର୍ଷ ବିଭାଗ ପାଇଁ ସର୍ବମୋଟ ୬୬୪୯ କୋଟି ୩୩ ଲକ୍ଷ ୧୨ ହଜାର ଟଙ୍କାର ବ୍ୟୟବରାଦ କରାଯାଇଛି। ଏଥିରେ ୫୪୦୦ କୋଟି ଟଙ୍କା କାର୍ଯ୍ୟକ୍ରମ ବ୍ୟୟ ଓ ୧୨୪୯ କୋଟିରୁ ଅଧିକ ପ୍ରଶାସନିକ ବ୍ୟୟ ଅନ୍ତର୍ଭୁକ୍ତ ରହିଛି। ଚଳିତ ବର୍ଷର ବଜେଟ ତୁଳନାରେ ଏହା ପ୍ରାୟ ୩% ଅଧିକ। ବଜେଟର କାର୍ଯ୍ୟକ୍ରମ ବ୍ୟୟ ମଧ୍ୟରୁ ୩୬୧୦ କୋଟି ଟଙ୍କା ରାଜ୍ୟସ୍ତରୀୟ ଯୋଜନା, ୧୯୦ କୋଟି ଟଙ୍କା କେନ୍ଦ୍ରସ୍ତରୀୟ ଯୋଜନା ଓ ୧୬୦୦ କୋଟି ଟଙ୍କା କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ପାଇଁ ବରାଦ କରାଯାଇଛି। ଏହି ଯୋଜନାଗୁଡ଼ିକ ମୁଖ୍ୟତଃ ଶିକ୍ଷା, ଆଦିବାସୀ ଓ ଅନୁସୂଚିତ ଜାତିଙ୍କ କଲ୍ୟାଣ, ସଂଖ୍ୟାଲଘୁ ଓ ପଛୁଆ ବର୍ଗର ସାମାଜିକ ଓ ଆର୍ଥିକ ଉନ୍ନତିକୁ ଲକ୍ଷ୍ୟ କରି ପ୍ରସ୍ତୁତ କରାଯାଇଛି। ପ୍ରାୟ ୨୩ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ ପାଇଁ ୨୦୯୪ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରହିଛି। ରାଜ୍ୟରେ ଆଦିବାସୀ ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ଉନ୍ନତି ପାଇଁ ବର୍ତ୍ତମାନ ୧୭୬୫ଟି ବିଦ୍ୟାଳୟ କାର୍ଯ୍ୟ କରୁଛି, ଯାହା ମଧ୍ୟରୁ ୧୬୧୫ଟି ଆବାସିକ ଓ ୧୫୦ଟି ଅଣ ଆବାସିକ ବିଦ୍ୟାଳୟ। ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନାରେ ୧୫୪ କୋଟି, ଅନ୍ୱେଷା ଯୋଜନାରେ ୧୫୮ କୋଟି ଟଙ୍କା ଦିଆଯାଇଛି। ଧରତି ଆବା ଜନଜାତି ଗ୍ରାମ ଉନ୍ନତି ଅଭିଯାନ ମାଧ୍ୟମରେ ରାଜ୍ୟର ୨୭ଟି ଜିଲାର ୨୩୪ଟି ବ୍ଲକ ଓ ୭୬୬୭ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଯୋଜନା ପାଇଁ ୩୨୫ କୋଟିରୁ ଅଧିକ ଟଙ୍କା ବରାଦ କରାଯାଇଛି। ଏହି ବଜେଟ ରାଜ୍ୟର ଆଦିବାସୀ ଓ ପଛୁଆବର୍ଗଙ୍କ ଆର୍ଥିକ ଓ ସାମାଜିକ ସଶକ୍ତୀକରଣ କରିବା ସହିତ ସମାବେଶୀ ଉନ୍ନତିର ଲକ୍ଷ୍ୟ ସାଧନରେ ଏହା ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ଅରୁଣ କୁମାର ସାହୁ କହିଛନ୍ତି, ରାଜ୍ୟରେ ଥିବା ଏସ୍‌ସି, ଏସ୍‌ଟି ଏବଂ ଓବିସିଙ୍କ ଭାଗ ଅନୁସାରେ ବଜେଟ ପ୍ରସ୍ତୁତ କରାଯିବା ଆବଶ୍ୟକ। ସେହି ଅନୁପାତରେ ନିଯୁକ୍ତି ପାଇଁ ସରକାର ସଂରକ୍ଷଣ ବ୍ୟବସ୍ଥା କରିବା ଜରୁରୀ। ଇଞ୍ଜିନିୟରିଂ ଓ ମେଡିକାଲ ନାମ ଲେଖାରେ ମଧ୍ୟ ସଂରକ୍ଷଣ ଦିଆଯାଉ। ଏସ୍‌ସି, ଏସ୍‌ଟି ଏବଂ ଓବିସି ରାଜ୍ୟ ଜନସଂଖ୍ୟାର ସିଂହଭାଗ ହୋଇଥିବା ବେଳେ କେବଳ କିଛି ମୁଷ୍ଟିମେୟ ଲୋକ ଲାଭାନ୍ବିତ ହେଉଛନ୍ତି। ଗତ ଦୁଇ ବର୍ଷ ଭିତରେ ଏହି ବିଭାଗ ଆଗକୁ ଯିବା ବଦଳରେ ଦୁର୍ବଳ ହୋଇ ଚାଲିଛି ବୋଲି ସେ କହିଥିଲେ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ରାଜ୍ୟରେ ଆଦିବାସୀ, ହରିଜନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି। ଖଣି ସମୃଦ୍ଧ ଜିଲାରେ ପୁଲିସ ଓ ପ୍ରଶାସନ ସହାୟତାରେ କର୍ପୋରେଟ କମ୍ପାନୀ ଗରିବ ଆଦିବାସୀଙ୍କ ଉପରେ ଅତ୍ୟାଚାର ଚଳାଉଛନ୍ତି। ଖଣି, ଶିଳ୍ପ ପାଇଁ ଲୋକଙ୍କୁ ନିଜ ଭିଟାମାଟି ଛାଡ଼ିବା ପାଇଁ ବାଧ୍ୟ କରାଯାଉଛି। ଆଦିବାସୀ ବିଦ୍ୟାଳୟରେ ଡ୍ରପଆଉଟ୍ ବଢ଼ୁଛି। ହଷ୍ଟେଲରେ ନାବାଳିକା ଗର୍ଭବତୀ ହେଉଛନ୍ତି। ସରକାର ସେମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି। ବିଧାୟକ ଭାସ୍କର ମଢ଼େଇ, ଦୁଷ୍ମନ୍ତ ସ୍ବାଇଁ, ଗଣେଶ୍ବର ବେହେରା, ଡ. ଫକିର ନାଏକ, ରମେଶ ବେହେରା, ଗୌରୀ ଶଙ୍କର ମାଝୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

Breaking News