Report Card Odisha

| Daily Odia News

ଭବଙ୍କ ନାଁରେ ଯୋଡି ହେଲା ଆଉ ୩ ମାମଲା….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି | ଦୀର୍ଘ ସମୟ ଧରି ଆତଙ୍କରାଜ ଭିଆଇବା ସହ ଯାଜପୁର ଟାଉନଥାନା ଘେରାଉ ପଛର ରିଂ ମାଷ୍ଟର କିଏ | କେଉଁ ପରିସ୍ଥିତିରେ ବିରଜା ହାଟରେ ହୋଇଥିଲା ଗଣ୍ଡଗୋଳ |କାହା ନିର୍ଦ୍ଦେଶରେ ରାସ୍ତାରୋକ ସହ ବ୍ୟବସାୟୀଙ୍କୁ କରାଯାଇଥିଲା ଆକ୍ରମଣ? ତଦନ୍ତ ଭାର ନେବା ପରଠୁ ଏହି ସବୁ ଦିଗକୁ ଧରି ଘଣ୍ଟାଚକଟା କରୁଛି କ୍ରାଇମବ୍ରାଞ୍ଚ ଟିମ୍‌। ସେପଟେ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବପ୍ରକାଶଙ୍କ ନାଁରେ ଆଜି ୩ ମାମଲା ରୁଜୁ ହୋଇଛହି। ସୋମବାର ସକାଳେ କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍‌ ଯାଜପୁର ଜିଲ୍ଲା ଧର୍ମଶାଳା ବୁଢ଼ାପୋଲରେ ପହଞ୍ଚିଥିଲା। ଯେଉଁଠି ୨୦ ତାରିଖ ସଂଧ୍ୟାରେ ବିଧାୟକ ହିମାଂଶୁଙ୍କ ଉପରେ ଠେଙ୍ଗାବାଡ଼ି ଧରି ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ବିରଜା ପ୍ରକଳ୍ପ ପାଇଁ ଆନ୍ଦୋଳନ ବେଳେ ରାସ୍ତା ଉପରେ ଉପଦ୍ରବୀ ଚଳାଇଥିଲେ ଆତଙ୍କରାଜ। ସେହି ବୁଢ଼ାପୋଲକୁ ଯାଇ ସରଜମିନ ତଦନ୍ତ କରିଛି କ୍ରାଇମବ୍ରାଞ୍ଚ ଟିମ୍‌। ଏହାବ୍ୟତୀତ ସଦର ଥାନା ଓ ଟାଉନଥାନାକୁ ଯାଇ ମଧ୍ୟ କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍‌ ପୋଲିସ ପାଖରୁ ତଥ୍ୟ ସଂଗ୍ରହ କରିଛି। କାରଣ ହିମାଂଶୁଙ୍କୁ ହମଲା ସହ ସେଦିନ ରାତି ଯାଜପୁର ଟାଉନ୍ ଥାନା ଘେରାଉ ଏବଂ ୨୧ ତାରିଖରେ ବିରଜା ହାଟ ପାଖରେ ରାସ୍ତାରୋକ ଘଟଣାକୁ ନେଇ ମାମଲା ରହିଛି। ତଦନ୍ତର ପ୍ରଥମ ଦିନରେ ଏହି ୩ଟି ମାମଲା ଉପରେ ଫୋକସ୍‌ ରଖିବା ସହ ସରଜମିନ ତଦନ୍ତ କରି ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରିଛନ୍ତି କ୍ରାଇମବ୍ରାଞ୍ଚ ଟିମରେ ଥିବା ୨ ଡିଏସ୍‌ପି ଓ ଜଣେ ଇନିସପେକ୍ଟର। ବିରଜା ହାଟ ଗଣ୍ଡଗୋଳ ସହ ରାସ୍ତାରୋକ ଓ ବ୍ୟବସାୟୀଙ୍କୁ ଆକ୍ରମଣ ଅଭିଯୋଗ ମାମଲାରେ ଉଭୟ ଟାଉନ ଥାନା ଏବଂ ସଦର ଥାନାରେ ରୁଜୁ ହୋଇଛି ମୋଟ ୧୭ଟି ମାମଲା। ଗିରଫ ହୋଇଛନ୍ତି ୧୯ ଜଣ। ତାହାରି ଭିତରେ ପୂର୍ବତନ ବିଜେଡି ବିଧାୟକ ପ୍ରଣବ ଦାସଙ୍କ ଭାଇ ଭବପ୍ରକାଶ ଓରଫ୍‌ ଲଲ ଦାସଙ୍କ ନାଁରେ ଯୋଡ଼ି ହେଉଛି ଗୋଟିଏ ପରେ ଗୋଟିଏ ମାମଲା। ପୂର୍ବରୁ ପରିବା ବ୍ୟବସାୟୀ ମଦନ ନାଏକଙ୍କୁ ଆକ୍ରମଣ ଓ ସାମଗ୍ରୀ ନଷ୍ଟ ଅଭିଯୋଗ ମାମଲାରେ ଜେଲରେ ଅଛନ୍ତି ଭବ। ସୋମବାର ପୋଲିସ ପକ୍ଷରୁ ଆବେଦନ ପରେ SDJMଙ୍କ କୋର୍ଟରେ ଆଉ ୩ଟି ମାମଲା ଯୋଡ଼ି ହୋଇଛି। ଟାଉନ ଥାନା ଘେରାଉ, ବିରଜା ହାଟରେ ରାସ୍ତାରୋକ ଏବଂ ଆଉ ଜଣେ ପରିବା ବ୍ୟବସାୟୀଙ୍କୁ ଆକ୍ରମଣ ଅଭିଯୋଗରେ ହୋଇଛି ୩ଟି ମାମଲା। ଅପରପକ୍ଷେ ୨୩ ତାରିଖରୁ ଗିରଫ ହୋଇଥିବା ଲଲଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ମେଡ଼ିକାଲ ପଠାଇବାକୁ କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ଜେଲ କର୍ତ୍ତୃପକ୍ଷଙ୍କୁ ଲଲଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କିତ ଷ୍ଟାଟସ୍‌ ରିପୋର୍ଟ ମାଗିଥିବା ସୂଚନା ମିଳିଛି।

Breaking News