ରିପୋର୍ଟ କାର୍ଡ / ଭୁବନେଶ୍ୱର /ପୁରୀ
ଆଜି ନୌସେନା ଦିବସ। ପୁରୀ ସମୁଦ୍ରରରେ ରଣ କୌଶଳ ଦେଖାଇବେ ନୌବୀର। ନୌସେନାର ଏହି ପରାକ୍ରମକୁ ଦେଖିବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ। ଏଥିପାଇଁ ପୁରୀ ବ୍ଲୁ ଫ୍ଲାଗ ବିଚରେ ସମସ୍ତ ପ୍ରସ୍ତୁତି ସରିଛି। ଏହି କାର୍ଯ୍ୟକ୍ରମରେ ୧୫ଟି ଯୁଦ୍ଧ ଜାହାଜ, ଓ ୪୦ ଏୟାରକ୍ରାଫ୍ଟ୍ ସାମିଲ ହୋଇ ଯୁଦ୍ଧକୌଶଳ ଦେଖାଇବେ। INS ଜଲସା, ମିଶାଇଲ୍ ଡେଷ୍ଟ୍ରୋୟର INS ଦିଲ୍ଲୀ, INS ଶକ୍ତି, INS ସର୍ୟୁ, INS ଅରିହନ୍ତ, INS ସାତପୁରା ପ୍ରମୁଖ ନେଭି ଡେ ଉତ୍ସବରେ ସାମିଲ ହୋଇ ପରାକ୍ରମ ଦେଖାଇବେ। ସେହିପରି ହକ୍, ସି-କିଙ୍ଗ, ମିଗ୍-29 ଭଳି ଫାଇଟର ଜେଟ୍ ଓ ଚେତକ, MS-60 ହେଲିକପ୍ଟର ଦେଖାଇବେ ନୌସେନାର ବୀରତ୍ୱ। ଆଜି ଅପରାହ୍ଣ ୪ଟା ୦୭ରୁ ୫ଟା ୨୪ ପର୍ଯ୍ୟନ୍ତ ଚାଲିବ ନୌସେନାର ସମରକୌଶଳ ପ୍ରଦର୍ଶନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ମୁଖ୍ୟ ଅତିଥି ହେବେ। ଉଦ୍ଭାବନ ଓ ସ୍ୱଦେଶୀକରଣ ଦ୍ୱାରା ଶକ୍ତି ଓ ସାମର୍ଥ୍ୟ ହେଉଛି ଏଥର ନୌସେନା ଦିବସର ଥିମ୍। ନୌସେନା ଦିବସ ପାଳନ ନେଇ ପୁରୀରେ ସୁରକ୍ଷାକୁ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତିଙ୍କ ୫ ଦିନିଆ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ପ୍ରଥମେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ।ଶ୍ରୀକ୍ଷେତ୍ର ପୁରୀରେ ଆଜି ଦିନତମାମ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି। ସକାଳ ୯ଟାରେ ରାଷ୍ଟ୍ରପତି ଭୁବନେଶ୍ୱରରୁ ବାହାରି ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଯିବେ। ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ପରେ ମା’ ବିମଳା ଓ ଲକ୍ଷ୍ମୀଙ୍କୁ ବି ଦର୍ଶନ କରିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସକାଳେ କିଛି ଘଣ୍ଟା ଲାଗି ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ମହାପ୍ରଭୁଙ୍କ ଦର୍ଶନ ପରେ ଗୋପବନ୍ଧୁ ଆୟୁର୍ବେଦ କଲେଜର ୭୫ତମ ପ୍ରତିଷ୍ଠା ଦିବସ ଓ ହୀରକ ଜୟନ୍ତୀ ସମାରୋହରେ ଯୋଗ ଦେବେ ମହାମହିମ। ସେଠାରୁ ମଧ୍ୟାହ୍ନ ୧୨ଟାରେ ପୁରୀ ରାଜଭବନ ଫେରି ଭୋଜନ କରିବେ ରାଷ୍ଟ୍ରପତି। ଅପରାହ୍ଣରେ ପୁରୀ ବ୍ଳୁ ଫ୍ଳାଗ୍ ବିଚରେ ଆୟୋଜିତ ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ ରାଷ୍ଟ୍ରପତି। ସେଠାରେ ସଂଧ୍ୟା ୫ଟା ୪୫ ମିନିଟ ଯାଏଁ ନୌବୀରଙ୍କ ପରାକ୍ରମ ଦେଖିବେ ରାଷ୍ଟ୍ରପତି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……