Report Card Odisha

| Daily Odia News

ଟିପିସିଓଡିଏଲ ସ୍ବତନ୍ତ୍ର ସ୍କିମ୍‌ର ଶୁଭାରମ୍ଭ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ ପକ୍ଷରୁ ଏକ ସ୍ବତନ୍ତ୍ର ସ୍କିମ୍‌ର ଶୁଭାରମ୍ଭ ହୋଇଛି । ବିଦ୍ୟୁତ୍‌ ଚୋରି ଅଭିଯୋଗରେ ଯେଉଁମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି, ସେମାନଙ୍କ ପାଇଁ ଚୋରି ମୂଲ୍ୟାଙ୍କନ ଦେୟର ଫଇସଲା କରିବା ଲାଗି ଟିପିସିଓଡିଏଲ୍‌ ପକ୍ଷରୁ ଏଭଳି ଏକ ଯୋଜନା ଆରମ୍ଭ ହୋଇଛି। ଏହି ସ୍ବତନ୍ତ୍ର ସ୍କିମ୍‌ ଜରିଆରେ କମ୍ପାନୀ ପକ୍ଷରୁ ବିଦ୍ୟୁତ୍‌ ବିଲ୍‌ ଉପରେ ସ୍ବାଭାବିକତାଠାରୁ ଅଧିକ ରିହାତି ପ୍ରଦାନ କରାଯାଉଛି। ଯାହା ଚଳିତ ବର୍ଷ ଫେବୃୟାରୀ ଓ ମାର୍ଚ୍ଚ ପାଇଁ ବୈଧ ରହିବ। ମୂଲ୍ୟାଙ୍କନ ହୋଇଥିବା ଖିଲାପକାରୀମାନଙ୍କୁ ନିକଟସ୍ଥ ବିଦ୍ୟୁତ୍‌ ସବ୍‌-ଡିଭିଜନ ଅଫିସକୁ ଯିବାକୁ ପଡ଼ିବ ଏବଂ ସେମାନଙ୍କ ବକେୟା ଦେୟକୁ ନିୟମିତ କରିବାକୁ ପଡ଼ିବ। ଯଦି ଏହି ଗ୍ରାହକମାନେ ଚୋରି ଜନିତ ଜରିମାନା ଦେବେ ନାହିଁ ଓ ନୂଆ ସଂଯୋଗ ପାଇଁ ଆଇନଗତ ପନ୍ଥା ଗ୍ରହଣ କରିବେ ନାହିଁ ତେବେ ଭାରତୀୟ ବିଦ୍ୟୁତ୍‌ ନିୟମ ୨୦୦୩ର ଧାରା ୧୩୫ରେ ଟିପିସିଓଡିଏଲ୍‌ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ଟିପିସିଓଡିଏଲ୍‌ର ସିଇଓ ଏମ୍‌.ସେନ୍‌ବାଗମ କହିଛନ୍ତି, ଏକ ଦାୟିତ୍ୱବାନ ବିଦ୍ୟୁତ୍‌ ୟୁଟିଲିଟି ଭାବେ ଆମ ଗ୍ରାହମାନଙ୍କ ଉପରେ ବିଦ୍ୟୁତ୍‌ ଚୋରି ଜନିତ ଖର୍ଚର ବୋଝ ଯେଭଳି ନପଡ଼ିବ ତାହା ନିଶ୍ଚିତ କରିବା ହେଉଛି ଆମର ଦାୟିତ୍ୱ। ଏହି ସ୍ବତନ୍ତ୍ର ସ୍କିମ୍‌ ଜରିଆରେ ବକେୟା ଦେୟକୁ ନିୟମିତ କରିବା ଏବଂ ଏକ ନୂଆ ସଂଯୋଗ ନେବାର ସୁଯୋଗ ପ୍ରଦାନ କରୁଛି। ସେହିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ଲାଗି ଟିପିସିଓଡିଏଲ୍‌ ପ୍ରତିବଦ୍ଧ ରହିଛି, ଏପରିକି ବିଦ୍ୟୁତ୍‌ ଚୋରିକୁ ହ୍ରାସ କରିବା ଏବଂ ଗୁଣାତ୍ମକ ଓ ଭରସାଯୋଗ୍ୟ ବିଦ୍ୟୁତ୍‌ ଯୋଗାଣରେ ଉନ୍ନତି ଆଣିବା ଲାଗି ସବୁ ପ୍ରକାର ଉଦ୍ୟମ କରୁଛି ବୋଲି ସେନ୍‌ବାଗମ କହିଛନ୍ତି |

Breaking News