ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଘଟିଛି ଏକ ରେଳ ଦୁର୍ଘଟଣା। ରେଳ ଲାଇନରେ ଠିଆ ହୋଇଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଛି ଏକ ଯାତ୍ରୀବାହୀ ଟ୍ରେନ। ଏହି ଦୁର୍ଘଟଣାରେ ପ୍ରାୟ ୩୧ ଜଣ ଲୋକ ଆହତ ହୋଇଛନ୍ତି। ଶେଖପୁରା ଜିଲ୍ଲାର କିଲା ସତ୍ତାର ଶାହ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ମିଆଁୱାଲିରୁ ଲାହୋରକୁ ଯାଉଥିବା ଯାତ୍ରୀବାହୀ ଟ୍ରେନ୍ ସେହି ଟ୍ରାକରେ ଯାଉଥିଲା, ଯେଉଁ ଟ୍ରାକରେ ପୂର୍ବରୁ ଏକ ମାଲବାହୀ ଟ୍ରେନ୍ ଛିଡ଼ା ହୋଇଥିଲା। ଲୋକୋପାଇଲଟ୍ ଦୁର୍ଘଟଣାକୁ ରୋକିବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଉଦ୍ଧାରକାରୀ ଦଳ କର୍ମଚାରୀଙ୍କ କହିବା ମୁତାବକ, ଏହି ଦୁର୍ଘଟଣାରେ ୩୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରେଳ ଅଧିକାରୀଙ୍କ ସୂଚନା ଅନୁସାରେ- ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଲୋକୋପାଇଲଟ୍ ଇମ୍ରାନ ସରୱର ଏବଂ ତାଙ୍କ ସହକାରୀ ମହମ୍ମଦ ବିଲାଲଙ୍କ ସମେତ ଚାରିଜଣ ରେଳ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଦୁର୍ଘଟଣା ପରେ ଲାହୋର ଡିଭିଜନରେ ଟ୍ରେନ୍ ଚଳାଚଳ ସୁରୁଖୁରୁରେ ଚାଲିଛି। ଟ୍ରାକ୍କୁ ସଫା କରିଦିଆଯାଇଛି। ଏହା ବ୍ୟତୀତ ଡେପୁଟି ପ୍ରିନ୍ସିପାଲ ଅଫିସରଙ୍କ ନେତୃତ୍ୱରେ ଏକ ତଦନ୍ତ କମିଶନ ଗଠନ କରାଯାଇଛି, ଯାହାକି ୨୪ ଘଣ୍ଟା ମଧ୍ୟରେ ଘଟଣାର ରିପୋର୍ଟ ଦାଖଲ କରିବ।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……