ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁରୁବାର ଭୋରୁ ଦକ୍ଷିଣପଶ୍ଚିମ ଚୀନ୍ ଅନ୍ତର୍ଗତ ସିଚୁଆନ୍ ପ୍ରଦେଶରେ ଗୋଟାଏ ଅଗଭୀର ଭୂମିକମ୍ପ ସଂଘଠିତ ହେବାରୁ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହ ଅନେକ ବ୍ୟକ୍ତି ଆହତ ହୋଇଛନ୍ତି। ରିକ୍ଟର୍ ସ୍କେଲ୍ରେ ଏହି ଭୂମିକମ୍ପର ତୀବ୍ରତା ୫.୪ ଥିବା କଥା ‘ଦି ୟୁଏସ୍ ଜିଓଲୋଜିକାଲ୍ ସର୍ଭେ’ କହୁଥିବା ବେଳେ ‘ଚାଇନା ଆର୍ଥକ୍ବେକ୍ ନେଟ୍ୱାର୍କ ସେଣ୍ଟର୍’ ଏହାର ତୀବ୍ରା ୬.୦ ଥିଲା ବୋଲି ମାପ କରିଛି। କିନ୍ତୁ, ଭୂଗର୍ଭର ମାତ୍ର ୧୦ କିଲୋମିଟର୍ ଅଭ୍ୟନ୍ତରରେ ଉପରୋକ୍ତ କମ୍ପନ ସଂଘଠିତ ହୋଇଥିବା କଥା ଉଭୟ ସଂସ୍ଥାନ ରିପୋର୍ଟ କରିଛନ୍ତି। ସଂପ୍ରସାରଣ ହୋଇଚାଲିଥିବା ବିଶାଳ ସହର ଚୋଙ୍ଗ୍କ୍ବିଙ୍ଗ୍ର ଦକ୍ଷିଣପଶ୍ଚିମକୁ ପ୍ରାୟ ୧୨୦ କିଲୋମିଟର୍ ଦୂରବର୍ତ୍ତୀ ଲକ୍ସିଆନ୍ କାଉଣ୍ଟିରେ ଏହି ଭୂମିକମ୍ପ ସଂଘଠିତ ହୋଇଛି। ଲକ୍ସିଆନ୍ ସରକାରୀ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଏହି ଭୂକମ୍ପନ ଯୋଗୁଁ ୨ଜଣଙ୍କର ମୃତ୍ୟୁ ଘଟିଛି, ୩ଜଣ ସାଙ୍ଘାତିକ ଏବଂ ୫୦ଜଣ ସାମାନ୍ୟ ଆହତ ହୋଇଛନ୍ତି। ଭୂକମ୍ପନ କାରଣରୁ ଏହି କାଉଣ୍ଟିରେ ସମୁଦାୟ ୨୨ଟି ଘର ଭାଙ୍ଗିଯାଇଛି। ଏହାଛଡ଼ା, ହଜାର ହଜାର ଲୋକଙ୍କ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ରାଷ୍ଟ୍ରାୟତ ସମ୍ବାଦ ପ୍ରସାରଣ ସଂସ୍ଥାନ ‘ସିଜିଟିଏନ୍’ ମଧ୍ୟ ଉକ୍ତ ଭୂମିକମ୍ପର ଦୃଶ୍ୟାବଳି ଥିବା ଫୁଟେଜ୍ ପ୍ରସାରଣ କରିଛି। ଏଥିରେ ଟିଭି ଓ ରେଫ୍ରିଜେରେଟର୍ ଘରର କାନ୍ଥରେ ପିଟି ହେଉଥିବା, କାନ୍ଥ ଫାଟି ଯାଉଥିବା ଏବଂ ଘରେ ଥିବା ଗହଣା ଆଦି ଚଟାଣରେ ପଡ଼ିଯାଉଥିବା ଦୃଶ୍ୟ ରହିଛି। ସଂଘଠିତ ଭୂମିକମ୍ପ ପରେ ଆଉ କୌଣସି ପ୍ରକାର ବଡ଼ ଧରଣର ଭୂକମ୍ପନ ହେବାର ସମ୍ଭାବନାକୁ ସରକାରୀ କର୍ତ୍ତୃପକ୍ଷମାନେ ଏଡ଼ାଇ ଦେଇଛନ୍ତି। ‘ସିଚୁଆନ୍ ଆର୍ଥକ୍ବେକ୍ ଆଡ୍ମିନିଷ୍ଟ୍ରେସନ୍’ର ଉପମୁଖ୍ୟ ଦୁ ବିନ୍ ସାମ୍ବାଦିକମାନଙ୍କୁ କହିଛନ୍ତି, ନିକଟ ଭବିଷ୍ୟତରେ ଏ ଅଞ୍ଚଳରେ କୌଣସି ବଡ଼ଧରଣର ଭୂମିକମ୍ପ ହେବାର ସମ୍ଭାବନା ନାହିଁ। କିନ୍ତୁ, କିଛି ସମୟ ଧରି ଭୂମିକମ୍ପ ପରବର୍ତ୍ତୀ ଦୋଳନ ଲାଗି ରହିବ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..