Report Card Odisha

| Daily Odia News

ଇସ୍ତଫା ଘୋଷଣା କଲେ ଉଦ୍ଧବ ଠାକରେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇସ୍ତଫା ଘୋଷଣା କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ସୁପ୍ରିମ୍‌କୋର୍ଟରେ ଝଟ୍‌କା ପରେ ବୁଧବାର ରାତିରେ ଇସ୍ତଫା ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ‌ରେ | ଆଜି ରାଜ୍ୟ ବିଧାନସଭାରେ ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବାଲାଗି ରାଜ୍ୟପାଳଙ୍କ ଆଦେଶରେ ହସ୍ତକ୍ଷେପ କରିବାକୁ ସୁପ୍ରିମ୍‌କୋର୍ଟ ମନା କରିଦେବା ପରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି। ଏହାସହିତ ଗତ କିଛିଦିନ ଧରି କ୍ଷମତାସୀନ ଶିବ ସେନାରେ କେତେକ ବିଧାୟକଙ୍କ ବିଦ୍ରୋହ ଯୋଗୁଁ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟର ଅବସାନ ଘଟିଛି। ରାଜ୍ୟ ବିଧାନସଭାରେ ଆଜି ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାଲାଗି ରାଜ୍ୟପାଳ ଭଗତ ସିଂହ କୋସିୟାରୀ ବୁଧବାର ଦିନ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚାଲେଞ୍ଜ କରି ଉଦ୍ଧବ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଉଦ୍ଧବଙ୍କ ଶିବ ସେନା ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ ବିଦ୍ରୋହୀ ବିଧାୟକମାନଙ୍କ ବିରୋଧରେ ଅଯୋଗ୍ୟ ଘୋଷଣା ମାମଲା ବିଚାରାଧୀନ ଥିବାରୁ ଏବେ ଶକ୍ତି ପରୀକ୍ଷା କରାଯିବା ଠିକ୍ ହେବନାହିଁ। ଦୀର୍ଘସମୟ ଧରି ଶୁଣାଣି ଚାଲିଥିବା ବେଳେ କୋର୍ଟ କହିଥିଲେ ଯେ ଗଣତନ୍ତ୍ରରେ ସମସ୍ତ ସମସ୍ୟାର ସମାଧାନ କେବଳ ବିଧାନସଭା ଭିତରେ କରାଯାଇପାରିବ। ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ମଧ୍ୟ ଅନୁରୂପ ମତ ଦିଆଯାଇଥିଲା। କୋର୍ଟ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ବୁଧବାର ରାତି ୯ଟାରେ ରାୟ ଘୋଷଣା କରିଥିଲେ। ବିଧାନସଭାରେ ଶକ୍ତି ପରୀକ୍ଷା ନେଇ ରାଜ୍ୟପାଳଙ୍କ ଆଦେଶ ଉପରେ କୌଣସି ରୋକ୍‌ ଲାଗିବ ନାହିଁ ବୋଲି ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ଜେ ବି ପରଦିୱାଲାଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଦେଇଥିଲେ। କହିଥିଲେ ଯେ ଉଦ୍ଧବ ସରକାର ପ୍ରତି ସଂଖ୍ୟାଗରିଷ୍ଠ ସଭ୍ୟଙ୍କ ସମର୍ଥନ ରହିଛି ବୋଲି ଆସନ୍ତାକାଲି ପ୍ରମାଣ ଦେବାକୁ ପଡ଼ିବ। ତେବେ ଏହାସହିତ ସର୍ତ୍ତ ରଖିଥିଲେ ଯେ କାଲି ‌ହେବାକୁ ଥିବା ଶକ୍ତି ପରୀକ୍ଷାର ଫଳାଫଳ ଆସନ୍ତା ୧୨ ତାରିଖରେ ବିଧାୟକମାନଙ୍କ ଅଯୋଗ୍ୟ ଘୋଷଣା ମାମଲାର ଫଇସଲା ଉପରେ ନିର୍ଭର କରିବ। ସୁପ୍ରିମ କୋର୍ଟ ରାୟ ପରେ ଫେସବୁକ‌୍‌ରେ ଉଦବୋଧନ ଦେଇ ଉଦ୍ଧବ ଠାକରେ ଇସ୍ତଫା ଘୋଷଣା କରିଛନ୍ତି। ସେ କହି‌ଲେ ଯେ ସୁପ୍ରିମ କୋର୍ଟ ରାୟକୁ ଆମେ ସମ୍ମାନ ଜଣାଉଛୂୁ। ଗଣତନ୍ତ୍ର ତିଷ୍ଠିିବା ଉଚିତ। ରାଜ୍ୟ ବିଧାନ ପରିଷଦର ସଭ୍ୟ ପଦରୁ ମଧ୍ୟ ସେ ଇସ୍ତଫା ଘୋଷଣା କରିଛନ୍ତି।

 

Breaking News