ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ କାର୍ କମ୍ପାନିଙ୍କୁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ବିଭାଗ ମନ୍ତ୍ରୀ ନୀତୀନ ଗଡ଼କରୀ ସତର୍କ କରାଇ ଦେଇଛନ୍ତି। ଯଦି କମ୍ପାନିଗୁଡ଼ିକ ଡିଜେଲ ଗାଡ଼ିର ବିକ୍ରି ନକମାଇବେ ତାହେଲେ ସେ ବାଧ୍ୟ ହୋଇ ଏହି ଗାଡ଼ି ଉପରେ ଟିକସ ବଢ଼ାଇବାକୁ ଅର୍ଥମନ୍ତ୍ରୀଙ୍କୁ ପ୍ରସ୍ତାବ ଦେବେ। ଟିକସ ବଢ଼ିଲେ ଡିଜେଲରେ ଚାଳିତ ଗାଡ଼ି ବିକ୍ରି କରିବା କଷ୍ଟକର ହେବ। ଫଳରେ କମ୍ପାନିଙ୍କ ଡିଜେଲ ଚାଳିତ ଗାଡ଼ି ଉତ୍ପାଦନ ମଧ୍ୟ କମିବ ବୋଲି ଗଡ଼କରୀ କହିଛନ୍ତି।ତେଣୁ ଡିଜେଲ ଗାଡ଼ି ଉତ୍ପାଦନ ବନ୍ଦ କର ବୋଲି ଗଡ଼କରୀ ନୂଆଦିଲ୍ଲୀଠାରେ ସିଆମର ୬୩ତମ ବାର୍ଷିକ ସମ୍ମିଳନୀରେ ଯୋଗଦେଇ କହିଛନ୍ତି। ତେବେ ଗଡ଼କରୀଙ୍କ ଏହି ବକ୍ତବ୍ୟ ପରେ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା ଯେ ଡିଜେଲ କାର ଉପରେ ଅତିରିକ୍ତ ୧୦ ପ୍ରତିଶତ ଜିଏସଟି ଲାଗୁ ହେବ। ଏହା ଉପରେ ସ୍ପଷ୍ଟୀକରଣ ଦେଇ ଗଡ଼କରୀ କହିଛନ୍ତି ଯେ ବର୍ତ୍ତମାନ ସରକାରଙ୍କ ଦ୍ବାରା ଏଭଳି ଟିକସ ଲଗାଯିବାର କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ। କିନ୍ତୁ ୨୦୭୦ ମସିହା ସୁଦ୍ଧା ନିଟ୍ ଜିରୋ ପ୍ରଦୂଷଣ ଲକ୍ଷ୍ୟ ହାସଲ ଏବଂ ବାୟୁ ପ୍ରଦୂଷଣ ହ୍ରାସ କରିବାକୁ ହେବ। ଡିଜେଲ ଭଳି ବିପଜ୍ଜନକ ଇନ୍ଧନ ଏବଂ ଅଟୋମୋବାଇଲ ବିକ୍ରିରେ ଦ୍ରୁତବୃଦ୍ଧି ଯୋଗୁ ପ୍ରଦୂଷଣ ବଢ଼ୁଛି। ତେଣୁ ସ୍ବଚ୍ଛ ଏବଂ ସବୁଜ ଇନ୍ଧନ ବ୍ୟବହାର କରିବାର ଆବଶ୍ୟକତା ରହିଛି। ଡିଜେଲ ପରିବର୍ତ୍ତେ ଯେଉଁ ବିକଳ୍ପ ଇନ୍ଧନ ବ୍ୟବହାର ହେବ ତାହା ଦେଶ ଭିତରେ ଉତ୍ପାଦନ ହେଉଥିବ, ମୂଲ୍ୟ କମ୍ ଥିବ ଏବଂ ପ୍ରଦୂଷଣ କମ୍ ହେଉଥିବ ବୋଲି ଗଡ଼କରୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ଉଲ୍ଲେଖଯୋଗ୍ୟ, ସଂପ୍ରତି ଅଟୋମୋବାଇଲ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେଉଛି। ଏଥିସହିତ ୧ ପ୍ରତିଶତରୁ ୨୨ ପ୍ରତିଶତ ପର୍ଯ୍ୟନ୍ତ ସେସ୍ ମଧ୍ୟ ଆଦାୟ କରାଯାଉଛି। ଏସୟୁଭି ଗୁଡ଼ିକ ଉପରେ ସର୍ବାଧିକ ୨୮ ପ୍ରତିଶତ ଜିଏସଟି ଏବଂ ୨୨ ପ୍ରତିଶତ ସେସ୍ ଆଦାୟ କରାଯାଉଛି। ଡିଜେଲ ଚାହିଦା ବଢ଼ିବା ଦ୍ବାରା ଦେଶକୁ ବିପୁଳ ମାତ୍ରାରେ ଇନ୍ଧନ ଆମଦାନି କରିବାକୁ ପଡ଼ୁଛି। ତେବେ ଦେଶରେ ୨୦୧୪ରେ ମୋଟ କାର ବିକ୍ରିରେ ଡିଜେଲ କାରର ଭାଗ ୫୩ ପ୍ରତିଶତ ଥିବାବେଳେ ଏବେ ଏହା ୧୮ ପ୍ରତିଶତକୁ ହ୍ରାସ ପାଇଛି। ଏହା ଏକ ଭଲ ଲକ୍ଷଣ ବୋଲି ଗଡ଼କରୀ କହିଛନ୍ତି। ଗାଡ଼ି ନିର୍ମାତାମାନେ ସେମାନଙ୍କ ଉତ୍ପାଦନ ବ୍ୟବସ୍ଥାକୁ ବଦଳାନ୍ତୁ ଯାହାଫଳରେ ଅଧିକରୁ ଇଥାନଲ ଏବଂ ଗ୍ରିନ ହାଇଡ୍ରୋଜେନ ଭଳି ପରିବେଶ ଅନୁକୂଳ ଇନ୍ଧନ ବ୍ୟବହାର କରାଯାଇ ପାରିବ।






More Stories
ଆଜିଠୁ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬…..
ଏପ୍ରିଲ ୨୨ରେ କେଦାରନାଥ…..
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..