ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ବିଶ୍ବବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ ଏଣିକି ବର୍ଷକୁ ଦୁଇଥର ନାମଲେଖା ପ୍ରକ୍ରିୟା ଅନୁସରଣ କରାଯିବ। ବିଦେଶ ବିଶ୍ବବିଦ୍ୟାଳୟଗୁଡିକ ଢାଞ୍ଚାରେ ଆମ ଦେଶରେ ଦୁଇଥର ଲେଖା ପ୍ରକ୍ରିୟାକୁ ଅନୁସରଣ କରିବାକୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅନୁମୋଦନ କରିଛି। ୟୁଜିସି ମୁଖ୍ୟ ଜଗଦେଶ କୁମାର କହିଛନ୍ତି ଯେ ୨୦୨୪-୨୫ ଶିକ୍ଷା ବର୍ଷରୁ ବିଶ୍ବବିଦ୍ୟାଳୟଗୁଡିକରେ ଦୁଇଥର ନାମଲେଖା ପ୍ରକ୍ରିୟା ଅନୁସରଣ କରାଯିବ। ଜୁଲାଇ-ଅଗଷ୍ଟ ଓ ଜାନୁଆରୀ-ଫେବୃଆରୀ ମାସରେ ନାମଲେଖା କାର୍ଯ୍ୟ ହେବ। ଏହାଦ୍ବାରା ଅନେକ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। କାରଣ ଯେଉଁମାନେ ଜୁଲାଇ-ଅଗଷ୍ଟରେ ନାମଲେଖାରୁ ବଞ୍ଚିତ ହେଉଛନ୍ତି ସେମାନେ ଜାନୁଆରୀ-ଫେବୃଆରୀରେ ନାମ ଲେଖାଇବାର ସୁଯୋଗ ପାଇପାରିବେ। ବିଶ୍ବବିଦ୍ୟାଳୟ ବ୍ୟତୀତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ ମଧ୍ୟ ବର୍ଷକୁ ଦୁଇଥର ନାମଲେଖା ପ୍ରକ୍ରିୟା ଅନୁସରଣ କରାଯିବ। ଏଥିପାଇଁ ପାଠପଢା, ଶ୍ରେଣୀ କକ୍ଷ, ଆନୁଷଙ୍ଗିକ ସେବାକୁ ଉପଯୁକ୍ତ ଭାବେ ପରିଚାଳନା ଲାଗି ଧ୍ୟାନ ଦିଆଯିବ। ତେବେ ଯେଉଁସବୁ ବିଶ୍ବବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆବଶ୍ୟକ ମାନବସମ୍ବଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ନଥିବ ସେମାନେ ଦୁଇଥର ନାମଲେଖା ପ୍ରକ୍ରିୟା ଅନୁସରଣ କରିବାକୁ ବାଧ୍ୟ ନୁହନ୍ତି ବୋଲି କୁମାର କହିଛନ୍ତି। ଦୁଇଥର ନାମଲେଖା ପ୍ରକ୍ରିୟା ବିଶ୍ବବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକର ଇଚ୍ଛାଧୀନ ବ୍ୟାପାର ହୋଇ ରହିବ। ଦୁଇଥର ନାମ ଲେଖା ପ୍ରକ୍ରିୟା ପାଇଁ ଶିକ୍ଷାନୁଷ୍ଠାନଗୁଡିକ ସେମାନଙ୍କ ଅନୁଷ୍ଠାନ ନିୟମରେ ଆବଶ୍ୟକ ପରିବର୍ତ୍ତନ କରିବେ। ବିଶ୍ବର ଅନ୍ୟ ସମସ୍ତ ବିଶ୍ବବିଦ୍ୟାଳୟଗୁଡିକରେ ବର୍ଷକୁ ଦୁଇଥର ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହୋଇଆସୁଛି।






More Stories
ରାଜସ୍ଥାନରେ ହିଂସା:ଇଣ୍ଟରନେଟ୍ ସେବା ବନ୍ଦ……
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..