Report Card Odisha

| Daily Odia News

ମଦ୍ରାସା ଆଇନ ଉଚ୍ଛେଦ ଆଦେଶ ଉପରେ ରୋକ୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରପ୍ରଦେଶ ମଦ୍ରାସା ଆଇନକୁ ଅସାମ୍ବିଧାନିକ ଘୋଷଣା କରି ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟ ଉପରେ ସୁପ୍ରିମ୍‌କୋର୍ଟ ରୋକ୍ ଲଗାଇଛନ୍ତି। ମଦ୍ରାସାର ୧୭ ଲକ୍ଷ ଛାତ୍ରଛାତ୍ରୀ ଓ ୧୦ ହଜାର ଶିକ୍ଷକଙ୍କୁ ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବାକୁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗତ ମାସରେ ଆହ୍ଲାବାଦ ହାଇକୋର୍ଟ ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ ଅଧିନିୟମ, ୨୦୦୪କୁ ଧର୍ମନିରପେକ୍ଷ ନୀତିର ଉଲ୍ଲଂଘନ ବୋଲି ଘୋଷଣା କରିଥିଲେ। ଆନୁଷ୍ଠାନିକ ବିଦ୍ୟାଳୟ ବ୍ୟବସ୍ଥାରେ ଛାତ୍ରଛାତ୍ରୀଙ୍କୁ ସ୍ଥାନ ଦେବାକୁ ହାଇକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ କହିଥିଲେ। ଉତ୍ତରପ୍ରଦେଶରେ ପାଖାପାଖି ୨୫ ହଜାର ମଦ୍ରାସା ରହିଛି। ସେଗୁଡ଼ିକ ମଧ୍ୟରୁ ପ୍ରାୟ ୧୬,୦୦୦ ଉତ୍ତର ପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ ଦ୍ୱାରା ସ୍ୱୀକୃତିପ୍ରାପ୍ତ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ କେନ୍ଦ୍ର ଓ ଉତ୍ତରପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଅଦାଲତ ଆହୁରି କହିଛନ୍ତି ଯେ ହାଇକୋର୍ଟ ମଦ୍ରାସା ଆଇନର ବ୍ୟବସ୍ଥାକୁ ଭୁଲ୍ ଭାବରେ ବୁଝିଛନ୍ତି କାରଣ ଏଥିରେ ଧାର୍ମିକ ଶିକ୍ଷାର ବ୍ୟବସ୍ଥା ନାହିଁ। ମଦ୍ରାସାଗୁଡ଼ିକ ଯେପରି ଧର୍ମନିରପେକ୍ଷ ଶିକ୍ଷା ପ୍ରଦାନ କରନ୍ତି ତାହା ସୁନିଶ୍ଚିତ କରିବା ପାଇଁ ଆଲ୍ଲାବାଦ ହାଇକୋର୍ଟରେ ହୋଇଥିବା ପିଟିସନକୁ ଉଲ୍ଲେଖ କରି ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ଏହାର ପ୍ରତିକାର ଅର୍ଥ ଆଇନକୁ ରଦ୍ଦ କରିବା ନୁହେଁ। ଆଇନଜୀବୀ ଅଂଶୁମାନ ସିଂହ ରାଠୋଡ଼ଙ୍କ ଆବେଦନର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ଏହି ରାୟ ଦେଇଥିଲେ। ରାଠୋଡ଼ ୟୁପି ମଦ୍ରାସା ବୋର୍ଡର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରିଥିଲେ। ଆହ୍ଲାବାଦ ହାଇକୋର୍ଟ ଏହି ଆଇନକୁ ଖାରଜ କରି କହିଥିଲେ ଯେ ରାଜ୍ୟ ନିଜର କର୍ତ୍ତବ୍ୟ ପାଳନ କରିବା ସମୟରେ ଧର୍ମ ମଧ୍ୟରେ ଭେଦଭାବ କରିପାରିବ ନାହିଁ। ମଦ୍ରାସା ଶିକ୍ଷା ଅଧିନିୟମ, ୨୦୦୪ରେ ଉତ୍ତର ପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ ଦ୍ୱାରା ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ଆରବି, ଉର୍ଦ୍ଦୁ, ଫାର୍ସି, ଇସଲାମିକ-ଅଧ୍ୟୟନ, ଦର୍ଶନ ଏବଂ ଶିକ୍ଷାର ଅନ୍ୟାନ୍ୟ ଶାଖା ଅନ୍ତର୍ଭୁକ୍ତ ଥିଲା।

 

 

Breaking News