ରିପୋର୍ଟ କାର୍ଡ / କୋଲକାତା
ବିଧାନସଭାର ସଭ୍ୟ ନଥାଇ ମୁଖ୍ୟମନ୍ତ୍ରୀ ହେଲେ ସଂପୃକ୍ତ ବ୍ୟକ୍ତିଙ୍କୁ ୬ ମାସ ମଧ୍ୟରେ ନିର୍ବାଚନ ଜିତିବାକୁ ପଡିଥାଏ । ଆଗକୁ ରହିଛି ମମତାଙ୍କ ପାଇଁ ବଡ଼ ଚେଲେଞ୍ଜ | ମମତାଙ୍କୁ ଆସନ୍ତା ନଭେମ୍ବର ୫ ତାରିଖ ସୁଦ୍ଧା ନିର୍ବାଚିତ ହୋଇ ବିଧାନସଭାକୁ ଆସିବା ଆବଶ୍ୟକତା ରହିଛି । କିନ୍ତୁ ବର୍ତ୍ତମାନ ଦେଶରେ କରୋନା ମହାମାରୀ ଚାଲିଛି। ମହାମାରୀ ପାଇଁ ଉପନିର୍ବାଚନ ସମ୍ଭବ ହୋଇ ପାରୁ ନଥିବାରୁ ନିକଟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ଏହା ପଛରେ ମମତାଙ୍କୁ ମୋଦୀ ସରକାର ପାନେ ଦେବାର ଯୋଜନା କରୁଛନ୍ତି । ଉତ୍ତରାଖଣ୍ଡରେ ଉପନିର୍ବାଚନ ହୋଇ ନଥିବାରୁ ପଶ୍ଚିମବଙ୍ଗରେ ମଧ୍ୟ ହୋଇପାରିବ ନାହିଁ ବୋଲି ଯୋଜନା ରହିଥିବା ଚର୍ଚ୍ଚା ହେଉଛି। କିନ୍ତୁ ମୋଦୀ ସରକାରଙ୍କ ଏଭଳି ଯୋଜନାରେ ତୃଣମୂଳ କଂଗ୍ରେସ ସେତେଟା ଚିନ୍ତିତ ନଥିବା ଜଣାଯାଇଛି। ଯଦି ଉପନିର୍ବାଚନ ହୋଇ ନପାରିବ ତାହେଲେ ମମତା ତାଙ୍କ ୬ ମାସର କାର୍ଯ୍ୟକାଳ ଶେଷ ହେବାର ଦୁଇ ଦିନ ପୂର୍ବରୁ ଇସ୍ତଫା ଦେବେ। ଦୁଇଦିନ ପରେ ପୁଣି ଥରେ ଶପଥ ନେବେ ବୋଲି ଦଳର ପ୍ରବକ୍ତା ତଥା ସାଂସଦ ସୌଗତ ରାୟ କହିଛନ୍ତି। ଏହାବ୍ୟତୀତ ଦ୍ବିତୀୟ ବିକଳ୍ପ ବିଷୟରେ ମଧ୍ୟ ତୃଣମୂଳ କଂଗ୍ରେସ ଚିନ୍ତା କରୁଛି। ଦଳ ଉପନିର୍ବାଚନକୁ ପୂରାପୂରି ଏଡ଼ାଇ ଯିବାକୁ ଚାହୁଛନ୍ତି। ଏହା ପରିବର୍ତ୍ତେ ରାଜ୍ୟରେ ବିଧାନ ପରିଷଦକୁ ପୁଣି କାର୍ଯ୍ୟକ୍ଷମ କରିବା ଉଦ୍ୟମ କରାଯାଉଛି। କ୍ରମାଗତ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର କିଛିଦିନ ପରେ ମମତା ଏ ନେଇ ଘୋଷଣା କରିଛନ୍ତି। ବିଧାନ ପରିଷଦର ଜଣେ ସଭ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନରେ ବସିପାରିବେ। ତେବେ ତୃଣମୂଳ କଂଗ୍ରେସ ପାଇଁ ଏହା ସହଜ ହେବନାହିଁ। କାରଣ ଏଥିପାଇଁ ସଂସଦର ସ୍ବୀକୃତି ଦରକାର। କିନ୍ତୁ ସଂସଦରେ ବିଜେପିର ସଂଖ୍ୟା ଗରିଷ୍ଠତା ଥିବାରୁ ତୃଣମୂଳ ଏଥିରେ ସଫଳ ହେବା ଆଶା କରାଯାଉନାହିଁ।






More Stories
ବିଧାନସଭାରେ ଉଠିଲା ପାଣ୍ଡିଆନ ପ୍ରସଙ୍ଗ…..
୧୭,୪୪୦ କୋଟିର ଅତିରିକ୍ତ ବଜେଟ ଆଗତ…..
ସୃଷ୍ଟି ହେଲା ବାତ୍ୟା ‘ଡିଟୱା’…..