ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁପିଏସ୍ସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ମନୋଜ ସୋନୀ। ୨୦୨୯ ମସିହାରେ ମନୋଜ ସୋନୀଙ୍କ କାର୍ଯ୍ୟକାଳ ଶେଷ ହୋଇଥାନ୍ତା । ମାତ୍ର ପ୍ରାୟ ୫ ବର୍ଷ ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପଛର କାରଣ ଜଣାପଡ଼ି ନ ଥିବା ବେଳେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା ଜଣାଯାଇଛି। ବର୍ତ୍ତମାନ ୟୁପିଏସ୍ସି ପରୀକ୍ଷାରେ ଜାଲ୍ ସାର୍ଟିଫିକେଟ ଦେଇ ଆଶାୟୀମାନେ ଚାକିରି ହାତଉଥିବା ଅଭିଯୋଗ ହେଉଥିବା ବେଳେ ଏପରି ଘଟଣା ସାମନାକୁ ଆସିଛି। ତେବେ ମନୋଜ ସୋନୀଙ୍କ ଇସ୍ତଫା ସହ ଏହାର କୌଣସି ସମ୍ପର୍କ ନ ଥିବା କୁହାଯାଉଛି। କାରଣ ମନୋଜ ସୋନୀ ପ୍ରାୟ ମାସେ ପୂର୍ବରୁ ନିଜ ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇ ସାରିଛନ୍ତି। ତେବେ ତାହା ଏପର୍ଯ୍ୟନ୍ତ ଗୃହୀତ ହୋଇଛି ନା ନାହିଁ ତାହାର ସୂଚନା ମିଳି ପାରିନି। ମନୋଜ ସୋନି ୨୦୧୭ ମସିହାରେ ୟୁପିଏସ୍ସି ସଦସ୍ୟ ହୋଇଥିଲେ। ଗତ ବର୍ଷ ମେ’ ୧୬ ତାରିଖରେ ସେ ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ। ମନୋଜ ସୋନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ସହଯୋଗୀ ଓ ଖାସ୍ ଲୋକ ବୋଲି ଜଣାଯାଇଛି। ଏଥିଯୋଗୁ ୟୁପିଏସ୍ସି ଅଧ୍ୟକ୍ଷ ପଦ ସମ୍ଭାଳିବା ପୂର୍ବରୁ ସେ ଗୁଜରାଟର ଦୁଇଟି ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱ ତୁଲାଇ ସାରିଛନ୍ତି।






More Stories
ବଢ଼ିଲା ରେଳ କର୍ମଚାରୀଙ୍କ ଦରମା…..
ଇବୋଲା ଭାଇରସ କୁ ନେଇ ଭାରତ ଜାରି କଲା ଆଡଭାଇଜରୀ…..
ରେଲୱେ ଟ୍ରାକରେ ବିସ୍ଫୋରଣ,୨୩ ମୃତ,୪୭ ଆହତ…..