ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତରେ କରୋନା ସଂକ୍ରମଣ ହୁହୁ ହୋଇବଢି ଚାଲିଛି | ଏହାକୁ ଦୃଷ୍ଟିରେ ରଖି ଆମେରିକା ପ୍ରଶାସନ ଗଭୀର ଚିନ୍ତା ପ୍ରକଟ କରିଛି। ଆମେରିକା ନିଜ ନାଗରିକଙ୍କୁ ତୁରନ୍ତ ଭାରତ ଛାଡି ପଳାଇବାକୁ ଆମେରିକା ପକ୍ଷରୁ ପରାମର୍ଶ ଦିଆଯାଇଛି। ଆମେରିକା ବୈଦେଶିକ ବିଭାଗ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ଦିଆଯାଉଥିବା ଶୀର୍ଷସ୍ତରୀୟ ପରାମର୍ଶ (ଲେବଲ ୪)ରେ ଆମେରିକୀୟମାନେ ଭାରତ ନଯିବା ଏବଂ ଭାରତରେ ଥିବା ଆମେରିକୀୟମାନେ ନିଜ ସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ଭାରତ ଛାଡିବାକୁ କୁହାଯାଇଛି। ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି ଯେ ଭାରତ ଓ ଆମେରିକା ମଧ୍ୟରେ ଦୈନିକ ୧୪ଟି ସିଧାସଳଖ ବିମାନ ସେବା ରହିଛି। ଏହାବ୍ୟତୀତ ଦୁଇ ଦେଶକୁ ସଂଯୁକ୍ତ କରୁଥିବା ଅନ୍ୟାନ୍ୟ ସେବା ମଧ୍ୟ ଉପଲବ୍ଧ ହେଉଛି। ସଂପ୍ରତି ଭାରତ ସରକାର ଏବଂ ସ୍ୱାସ୍ଥ୍ୟବିଭାଗ କତ୍ତୃଁପକ୍ଷ ଦେଶରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଶଯ୍ୟା, ଅମ୍ଳଜାନ, କୃତ୍ରିମ ଶ୍ୱାସଯନ୍ତ୍ର ଆଦିର ଘୋର ଅଭାବ ଜନିତ ପରିସ୍ଥିତି ସାମନା କରୁଛନ୍ତି। ଭାରତରେ ସଂପ୍ରତି ବିଶ୍ୱର ଦ୍ରୁତତମ ସଂକ୍ରମଣ ପର୍ଯ୍ୟାୟ ଚାଲିଛି। ଏହା ପୂର୍ବରୁ ଗତ ସପ୍ତାହରେ ଅଷ୍ଟ୍ରେଲିଆ ସରକାର ଭାରତରୁ ସମସ୍ତ ବିମାନ ଉଡାଣକୁ ନିଷେଧ କରିସାରିଛନ୍ତି। ଭାରତରେ ଗତ ୧୦ଦିନ ଧରି କ୍ରମାଗତ ରହିଥିବା ପର୍ଯ୍ୟଟକଙ୍କୁ ଦେଶକୁ ପ୍ରବେଶ ଉପରେ ବ୍ରିଟେନ କଟକଣା ଲଗାଇଛି। ଭାରତରୁ ଆସୁଥିବା ବ୍ରିଟେନ ଏବଂ ଆୟର୍ଲାଣ୍ଡ ନାଗରିକଙ୍କୁ ବ୍ରିଟେନରେ ଏକ ହୋଟେଲରେ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
More Stories
ନିର୍ବାଚନ ନିୟମରେ ବଡ଼ ପରିବର୍ତ୍ତନ,ଭିଡିଓ ରେକର୍ଡିଂ ଦେଖାଇବେନି…..
ଭୂକମ୍ପରେ ଥରିଲା ନେପାଳ…..
କେଜ୍ରିୱାଲ୍ଙ୍କ ବିରୋଧରେ ମାମଲା ଚଳାଇବାକୁ ଇଡିକୁ ଅନୁମତି ଦେଲେ ଉପ ରାଜ୍ୟପାଳ….