Report Card Odisha

| Daily Odia News

ଶ୍ରମିକଙ୍କ ଉଦ୍ଧାର ପାଇଁ ଆସୁଛି ପ୍ଲାଜମା କଟର, ଭର୍ଟିକାଲ ଡ୍ରିଲିଂ ଭରସା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜଟିଳ ହେଉଛି ଉତ୍ତରକାଶୀ ଟନେଲ୍ ରେ ଫସିଥିବା ଶ୍ରମିକଙ୍କୁ । ୨ ସପ୍ତାହ ହେଲା ୪୧ ଶ୍ରମିକ ଟନେଲ ଭିତରୁ କେବେ ବାହାରିବେ ତାହାଉପରେ ସାରା ଦେଶ ବାସୀଙ୍କ ନଜର। ଅଗର ମେସିନର ଏକ ଅଂଶ ପଥରରେ ଅଟକିଯାଇଥିବାରୁ, ତାକୁ ବାହାର କରିବା ବି ନୂଆ ଚ୍ୟାଲେଞ୍ଜ ହୋଇଛି । ଅଗର ମେସିନକୁ କାଟି ବାହାର କରିବା ଲାଗି ହାଇଦ୍ରାବାଦରୁ ପ୍ଲାଜମା କଟର୍ ଆସୁଛି। ଆଜି ପ୍ଲାଜମା କଟର୍‌ ପହଞ୍ଚିବା ପରେ ପୁଣି ଥରେ ଅପରେସନ ଆରମ୍ଭ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ। ସେପଟେ ଏବେ ବିକଳ୍ପ ଉପାୟ ଭାବେ ମାନୁଆଲ୍ ଡ୍ରିଲିଂ ଓ ଭର୍ଟିକାଲ୍ ଡ୍ରିଲିଂ କଥା ଚିନ୍ତା କରାଯାଉଛି। ଅର୍ଥାତ୍ ପାରଂପରିକ ପଦ୍ଧତିରେ ଉଦ୍ଧାରକାରୀ ଯବାନମାନେ ପଥର ଖୋଳିବା ଭଳି, ବାକି ପ୍ରାୟ ୧୦ରୁ ୧୨ ମିଟର ଖୋଳି ବାଟ ବାହାର କରିବେ। ଡ୍ରିଲିଂ ସରିବା ପରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ବାହାରକୁ ଆଣିବା ପାଇଁ ପାଇପ୍ ଲଗାଯିବ। ଯେହେତୁ ଷଷ୍ଠ ଥର ପାଇଁ ଉଦ୍ଧାରକାରୀମାନେ ଡ୍ରିଲିଂ ପ୍ରକ୍ରିୟାରେ ବାଧାର ସମ୍ମୁଖୀନ ହୋଇଛନ୍ତି, ତେଣୁ ସେମାନେ ଅବଶିଷ୍ଟ ଆବର୍ଜନାକୁ ସ୍କାନ୍ କରିବା ପାଇଁ ଗ୍ରାଉଣ୍ଡ ପେନିଟ୍ରେସନ୍ ରାଡାର (ଜିପିଆର) ବ୍ୟବହାର କରୁଛନ୍ତି। ଏଥିସହ ପାହାଡ଼ ଉପରୁ ତଳ ଆଡ଼କୁ ଏକ ଗାତ ଖୋଳି ଶ୍ରମିକଙ୍କୁ ବାହାର କରିବା ପାଇଁ ଚିନ୍ତା କରାଯାଉଛି । ଏଥିପାଇଁ ଏକ ବିରାଟ ମେସିନ ଓ ସତଲେଜ ଜଳ ବିଦ୍ୟୁତ ନିଗମ ଏବଂ ONGCର ୧୨ ଜଣିଆ ଟିମ୍ ପାହାଡ଼ ଉପରକୁ ବଡ଼ ମେସିନ ସହ ଯାଇଛି। ଶ୍ରମିକମାନେ ଫସିଥିବା ଟନେଲ୍ ଉପରେ ସିଧାସଳଖ ୮୫ରୁ ୯୦ ମିଟର ଗାତ ଖୋଳିବାକୁ ୫ରୁ ୬ ଦିନ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି। ଉଦ୍ଧାର କାର୍ଯ୍ୟର ନେତୃତ୍ୱ ନେଇଥିବା ବରିଷ୍ଠ ସୁଡ଼ଙ୍ଗ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ କହିଛନ୍ତି ଯେ ଖ୍ରୀଷ୍ଟମାସ ସୁଦ୍ଧା ଶ୍ରମିକମାନେ ଘରକୁ ନିରାପଦରେ ଫେରିବେ। ପ୍ରତ୍ୟେକ ବିକଳ୍ପ ନେଇ ଆମେ ଗମ୍ଭୀରତାର ସହ ବିଚାର କରୁଛୁ। ଶ୍ରମିକଙ୍କୁ କିପରି ସୁରକ୍ଷିତ ଉଦ୍ଧାର କରାଯିବ ତାହା ସୁନିଶ୍ଚିତ କରାଯାଉଛି। ଶ୍ରମିକମାନଙ୍କ ସ୍ବାସ୍ଥ୍ୟରକ୍ଷା ପାଇଁ ମଧ୍ୟ ସମସ୍ତ ପ୍ରକ୍ରିୟା ଜାରି ରହିଛି ଏବଂ ଉପଯୁକ୍ତ ସମନ୍ୱୟରେ କାମ ଚାଲିଛି। ସେପଟେ ଟନେଲରେ ବିଏସ୍‌ଏନ୍‌ଏଲ ଏକ ଟେଲିଫୋନ୍ ଏକ୍ସଚେଞ୍ଜ୍ ସ୍ଥାପନ କରିଛି। ନିୟମିତ ଖାଦ୍ୟ ପଠାଇବା ପାଇଁ ବ୍ୟବହୃତ ହେଉଥିବା ପାଇପ୍ ମାଧ୍ୟମରେ ଶ୍ରମିକମାନଙ୍କୁ ଫୋନ୍‌ କନେକ୍‌ସନ୍‌ ଦିଆଯିବ। ଏହି ଫୋନରେ ଇନ୍‌କମିଂ ଓ ଆଉଟ୍‌ଗୋଇଂ ସୁବିଧା ରହିବ। ଏହାଦ୍ୱାରା ଶ୍ରମିକମାନେ ସିଧାସଳଖ ନିଜ ପରିବାର ସହ କଥା ହୋଇପାରିବେ ବୋଲି ବିଏସ୍‌ଏନ୍‌ଏଲ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Breaking News