Report Card Odisha

| Daily Odia News

ଟନେଲରୁ ଉଦ୍ଧାର ହେଲେ ଶ୍ରମିକ,ଏମିତି କହିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦୀର୍ଘ ୧୭ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧାରକାରୀ ଟିମ ଉତ୍ତରାଖଣ୍ଡର ଟନେଲରେ ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଶ୍ରମିକମାନେ ୧୭ ଦିନ କାଳ ଟନେଲ ଭିତରେ ଫସି ରହିଥିଲେ ମଧ୍ୟ ସମସ୍ତେ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛନ୍ତି। ଟନେଲ ଭିତରେ ତିଆରି ହୋଇଥିବା ଅସ୍ଥାୟୀ ମେଡିକାଲରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲେ। ଏହାପରେ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ପଠାଯାଇଛି | ତେବେ ୧୭ ଦିନ ପରେ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଟନେଲରୁ ବାହାର କରାଯାଇଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶ୍ୱସ୍ତି ଅନୁଭବ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ଟ୍ୱିଟ କରି କହିଛନ୍ତି, “ଉତ୍ତରାଖଣ୍ଡ ଟନେଲରେ ଫସି ରହିଥିବା ଶ୍ରମିକମାନେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବାରୁ ମୁଁ ଅତ୍ୟନ୍ତ ଆଶ୍ୱସ୍ତି ଓ ଖୁସି ଅନୁଭବ କରୁଛି। ୧୭ ଦିନ ଧରି ଚାଲିଥିବା ଅକ୍ଲାନ୍ତ ପରିଶ୍ରମ ସଫଳ ହୋଇଛି। ଅନେକ ଘାତପ୍ରତିଘାତ ସତ୍ତ୍ୱେ ମିଶନ ସଫଳ ହୋଇଛି। ପୂରା ଦେଶ ସେମାନଙ୍କୁ ସାଲ୍ୟୁଟ କରୁଛି। ସେମାନେ ନିଜ ଜୀବନକୁ ବିପଦରେ ପକାଇ ଓ ଘର ଠାରୁ ଦୂରରେ ରହି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣ କରୁଛନ୍ତି।” ଏଥିସହ ରାଷ୍ଟ୍ରପତି ଉଦ୍ଧାରକାରୀ ଟିମକୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉଦ୍ଧାରକାରୀ ଟିମକୁ ସାଧୁବାଦ ଜଣାଇଛନ୍ତି। ଏହା ମାନବିକତା ଓ ଟିମ ୱାର୍କର ଚମତ୍କାର ଉଦାହରଣ ବୋଲି ସେ କହିଛନ୍ତି। ମୋଦି କହିଛନ୍ତି, “ଉତ୍ତରକାଶୀରେ ଆମର ଶ୍ରମିକ ଭାଇମାନଙ୍କ ରେସ୍କ୍ୟୁ ଅପରେସନର ସଫଳତା ପ୍ରତ୍ୟେକଙ୍କୁ ଭାବପ୍ରବଣ କରିବା ଦେବା ଭଳି ଘଟଣା। ଟନେଲରେ ଯେଉଁ ସାଥୀମାନେ ଫସି ରହିଥିଲେ ସେମାନଙ୍କୁ ମୁଁ କହିବାକୁ ଚାହେଁ ଯେ ଆପଣଙ୍କ ସାହାସ ଓ ଧୈର୍ଯ୍ୟ ଯେକୌଣସି ଲୋକଙ୍କୁ ପ୍ରେରଣା ଦେବ।
ମୁଁ ଆପଣମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନେ କରୁଛି। ଏହା ଅତ୍ୟନ୍ତ ସନ୍ତୋଷର କଥା ଯେ ଲମ୍ବା ପ୍ରତିକ୍ଷା ପରେ ଏବେ ଆମର ସାଥୀମାନେ ସେମାନଙ୍କ ପ୍ରିୟଜନଙ୍କୁ ଭେଟିବେ। ଏହି ଚ୍ୟାଲେଞ୍ଜିଂ ସମୟରେ ସାଥୀମାନଙ୍କ ପରିଜନମାନେ ଯେଉଁ ଧୈର୍ଯ୍ୟ ଓ ସାହାସ ଦେଖାଇଛନ୍ତି, ତା’କୁ ଯେତେ ପ୍ରଶଂସା କଲେ ମଧ୍ୟ କମ ପଡ଼ିବ। ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ସମସ୍ତଙ୍କୁ ସଲାମ କରୁଛି। ସେମାନଙ୍କ ସାହାସ ଓ ସଂକଳ୍ପ ଆମର ଶ୍ରମିକ ଭାଇମାନଙ୍କୁ ନୂଆ ଜୀବନ ଦେଇଛି। ଏହି ମିଶନରେ ସାମିଲ ଥିବା ସମସ୍ତେ ମାନବିକତା ଓ ଟିମ ୱାର୍କର ଚମତ୍କାର ଉଦାହରଣ ଦେଇଛନ୍ତି।”

 

 

Breaking News