ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗ୍ୟାଙ୍ଗଷ୍ଟର ଅତିକ ଅହମଦଙ୍କ କବର ଉପରେ ତ୍ରିରଙ୍ଗା ପକାଇ ସାଲ୍ୟୁଟ କରିଛନ୍ତି ଜଣେ କଂଗ୍ରେସ ନେତା । ଏହାର ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ନେତା ରାଜ କୁମାର ସିଂହ ‘ରାଜୁ’ଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରାଯାଇଛି। ତ୍ରିରଙ୍ଗାକୁ ଅପମାନିତ କରିଥିବାରୁ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି। ପୋଲିସ ତାଙ୍କୁ ଅଟକ ରଖିଛି। ସାମ୍ନାକୁ ଆସିଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ଉତ୍ତର ପ୍ରଦେଶର ପ୍ରୟାଗରାଜ ସ୍ଥିତ କବରସ୍ଥାନରେ ରାଜୁ ପହଞ୍ଚିଥିଲେ। ତାଙ୍କ ହାତରେ ଗୋଟିଏ ତ୍ରିରଙ୍ଗା ରହିଥିଲା। ସେ ଅତିକଙ୍କ କବର ପାଖକୁ ଯିବା ସହ ତାଙ୍କୁ ସହିଦର ଆଖ୍ୟା ଦେଇଥିଲେ। ଏଥିସହ ତାଙ୍କ କବରରେ ତ୍ରିରଙ୍ଗା ଘୋଡ଼ାଇ ସାଲ୍ୟୁଟ ମାରିଥିଲେ। ଏହାପରେ ତାଙ୍କୁ ଭାରତ ରତ୍ନ ଦେବାକୁ ମଧ୍ୟ ସେ ଦାବି କରିଥିଲେ। ଭିଡିଓ ପରେ କଂଗ୍ରେସ ତୁରନ୍ତ ରାଜୁଙ୍କୁ ଦଳରୁ ୬ ବର୍ଷ ପାଇଁ ନିଲମ୍ବିତ କରିଛି। ଏ ସମ୍ପର୍କରେ ପ୍ରୟାଗରାଜ କଂଗ୍ରେସ କମିଟି ପକ୍ଷରୁ ଗୋଟିଏ ବିବୃତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଆଗାମୀ ପୌର ନିର୍ବାଚନ ପାଇଁ କଂଗ୍ରେସର ଆଜାଦ ଛକ ୱାର୍ଡ ନଂ ୪୩ର ପ୍ରାର୍ଥୀ ରାଜ କୁମାର ସିଂହ ‘ରାଜୁ’ଙ୍କୁ ୬ ବର୍ଷ ପାଇଁ ନିଲମ୍ବିତ କରାଯାଉଛି। ଅତିକ ଅହମଦଙ୍କ ସମ୍ପର୍କରେ ସେ ଦେଇଥିବା ବୟାନ ତାଙ୍କର ବ୍ୟକ୍ତିଗତ ମତ। ତାଙ୍କର ଏପରି ଆଚରଣ ପାଇଁ ତାଙ୍କ ପ୍ରାର୍ଥୀତ୍ୱକୁ ଦଳକ ପକ୍ଷରୁ ବାତିଲ କରାଯାଉଛି। ସେ ଆଉ କଂଗ୍ରେସର ପ୍ରାର୍ଥୀ ନୁହନ୍ତି ବୋଲି ଦଳ କହିଛି। ଭିଡିଓ ଭାଇରାଲ ପରେ ପୋଲିସ ତାଙ୍କୁ ନିଜ ହେପାଜତକୁ ନେଇଛି ଓ ତାଙ୍କ ନାଁରେ ଏଫଆଇଆର ରୁଜୁ କରାଯାଇଛି।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..