Report Card Odisha

| Daily Odia News

ଡିପ୍‌ଥେରିଆ ପାଇଁ ଆଜିଠୁ ବୁଷ୍ଟର ଡୋଜ୍ ଟିକାକରଣ,ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶକ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶାରେ ସଂକ୍ରମଣର ରୂପ ନେଉଛି ଡିପଥେରିଆ। ରାୟଗଡ଼ା ପରେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ଏହି ରୋଗ ମାଡ଼ି ଗଲାଣି। ବର୍ତ୍ତମାନ ସୁଦ୍ଧା ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଡିପଥେରିଆ ସଂକ୍ରମଣ ରୁକିବା ପାଇଁ ଆଜିଠୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଆରମ୍ଭ ହେବ ବୁଷ୍ଟର ଡୋଜ୍ ଟିକାକରଣ। ୧ ବର୍ଷରୁ କମ୍ ବୟସର ଶିଶୁଙ୍କୁ ପେଣ୍ଟା ଡୋଜ୍ ଓ ୫ ବର୍ଷରୁ ୧୫ ବର୍ଷ ବୟସ୍କଙ୍କୁ ଟିଡି ଟିକା ଦିଆଯିବ। ଡିପଥେରିଆ ରାୟଗଡ଼ା ଡେଇଁ କୋରାପୁଟ ଓ କଳାହାଣ୍ଡିକୁ ବ୍ୟାପିବା ପରେ ଚିନ୍ତାରେ ସରକାର । ସଂକ୍ରମିତ ଅଞ୍ଚଳବାସୀଙ୍କୁ ମାସ୍କ ପିନ୍ଧିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି। ରାୟଗଡ଼ା କାଶୀପୁର ବ୍ଲକ୍ ମୁନୁଷପଦରରୁ ଆରମ୍ଭ ହୋଇଥିବା ଏ ସଂକ୍ରମଣ ଏବେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଗଲାଣି। ଏଯାଏଁ ୫ ଶିଶୁଙ୍କ ଜୀବନ ଗଲାଣି। ଚିହ୍ନଟ ହେଲେଣି ୨୧ ସନ୍ଦିଗ୍ଧ ଆକ୍ରାନ୍ତ। ପୂର୍ବରୁ କାଶୀପୁର ବ୍ଲକରୁ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୋମବାର କୋରାପୁଟ ବନ୍ଧୁଗାଁରୁ ଚିହ୍ନଟ ଜଣେ ସନ୍ଦିଗ୍ଧ ଡିପଥେରିଆ ଆକ୍ରାନ୍ତଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରରୁ ଚିହ୍ନଟ ହୋଇଥିବା ୪-୫ ଜଣ ସନ୍ଦିଗ୍ଧ ରୋଗୀଙ୍କୁ ଭବାନୀପାଟଣା ସରକାରୀ ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଡିପଥେରିଆକୁ ନେଇ ଲୋକେ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଆଣ୍ଟିବାୟୋଟିକ୍ ଦ୍ୱାରା ଏହାକୁ ମୂଳପୋଛ କରାଯାଇପାରିବ। ତେବେ ଏହା ବାୟୁ ଦ୍ୱାରା ମଣିଷଠାରୁ ମଣିଷକୁ ସଂକ୍ରମିତ ହେଉଥିବାରୁ ସଂକ୍ରମିତ ଅଞ୍ଚଳର ଲୋକେ ମାସ୍କ ପିନ୍ଧିବା ସହ ହାତ ଧୋଇବା ଭଳି ନିୟମ ଅନୁପାଳନ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ୩ ସଂକ୍ରମିତ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ, ଡବ୍ଲୁଏଚ୍ଓ ଟିମ୍ ଗାଁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଆଗକୁ କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ଗଜପତି ଜିଲ୍ଲାରେ ମଧ୍ୟ ଏନେଇ ସର୍ଭେ କରିବାକୁ ବିଭାଗ ନିଷ୍ପତ୍ତି ନେଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Breaking News