ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘ଆନ୍ଦୋଳନ କରୁଥିବା ଚାଷୀମାନଙ୍କ ସହିତ କାହିଁକି ଆଲୋଚନା କରାଯାଉନାହିଁ | ସେମାନଙ୍କୁ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତିର ଫଳାଫଳ କ’ଣ ହେଲା | ମଙ୍ଗଳବାର ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଏଭଳି ପ୍ରଶ୍ନ ପଚାରିଥିଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼। ସେତେବେଳେ ମଞ୍ଚରେ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଚୌହାନ ଉପସ୍ଥିତ ଥିଲେ। ଦିଲ୍ଲୀ-ନୋଏଡା ସୀମାରେ ଚାଷୀମାନେ ପୁଣି ଥରେ ଆନ୍ଦୋଳନରେ ବସିଥିବା ବେଳେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କହି ଉପରାଷ୍ଟ୍ରପତି ଶ୍ରୀ ଧନଖଡ଼ କୃଷି ମନ୍ତ୍ରୀଙ୍କୁ କହିଥିଲେ, ଆପଣଙ୍କ ପୂର୍ବରୁ ଯିଏ କୃଷି ମନ୍ତ୍ରୀ ଥିଲେ, ସେ ଚାଷୀମାନଙ୍କୁ କିଛି ଲିଖିତ ପ୍ରତିଶ୍ରୁତି ଦେଇଥିଲେ କି | ଯଦି ପ୍ରତିଶ୍ରୁତି ଦିଆଯାଇଥିଲା, ତା’ହେଲେ ଏଯାବତ କାହିଁକି ପାଳନ କରାଯାଇ ନାହିଁ। ଚାଷୀଙ୍କ ଧୈର୍ଯ୍ୟ ପରୀକ୍ଷା ନ କରିବାକୁ ଚେତାବନୀ ଦେଇ ଉପରାଷ୍ଟ୍ରପତି କହିଥିଲେ ଯେ କୌଣସି ଶକ୍ତି ସେମାନଙ୍କ (ଚାଷୀଙ୍କ) ସ୍ୱରକୁ ଚପାଇ ପାରିବ ନାହିଁ। ଆମେ କ’ଣ ଚାଷୀ ଓ ସରକାରଙ୍କ ମଧ୍ୟରେ ଏକ ପାଚେରୀ ତିଆରି କରିପାରିବା? ମୁଁ ବୁଝିପାରୁନି କାହିଁକି ଏପର୍ଯ୍ୟନ୍ତ ଚାଷୀଙ୍କ ସହିତ ଆଲୋଚନା କରାଯାଇନାହିଁ। ଏହା ତାଙ୍କୁ ଚିନ୍ତିତ କରିଛି ବୋଲି ସେ କହିଥିଲେ। ଏହି ଅବସରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଉଦାହରଣ ଦେଇ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଥିଲେ, ଆପଣ (ଶିବରାଜ ସିଂହ ଚୌହାନ) ହେଉଛନ୍ତି ଦେଶର କୃଷି ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ। ମୋର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ କଥା ଓ ସେ କିପରି ପୂରା ଦେଶକୁ ଏକଜୁଟ କରିଥିଲେ, ସେ କଥା ମୋର ମନେ ପଡୁଛି। ସ୍ୱାଧୀନତା ପରେ ଗଡ଼ଜାତ ଅଞ୍ଚଳ ଓ ସ୍ୱାଧୀନ ରାଜ୍ୟଗୁଡ଼ିକୁ ଦେଶରେ ମିଶାଇବା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା। ଆଉ ସେହି କାମକୁ ସେ ଅତି ସୁନ୍ଦର ଭାବେ ସମାପନ କରିଥିଲେ। ଆଜି ଆପଣ (ଶିବରାଜ ସିଂହ ଚୌହାନ)ଙ୍କ ସମ୍ମୁଖରେ ସେହି ଚ୍ୟାଲେଞ୍ଜ ଅଛି। କୃଷକଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରିବା ମଧ୍ୟ ସେହିଭଳି ଗୁରୁତ୍ୱପୂର୍ଣ୍ଣ ଯେମିତି ଦେଶର ଏକତାକୁ ଅକ୍ଷୁର୍ଣ୍ଣ ରଖିବା।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..