ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇନ୍କିଲାବ ମଞ୍ଚର ନେତା ସରିଫ୍ ଓସମାନ ବିନ ହାଦିର ମୃତ୍ୟୁକୁ ନେଇ ବାଂଲାଦେଶରେ ଭାରତ ବିରୋଧୀ ହିଂସା ବ୍ୟାପକ ହୋଇଛି। ଶୁକ୍ରବାର ହିଂସାକାରୀମାନେ ମୈମନସିଂହ ଜିଲ୍ଲାର ଭାଲାକା ସହରରେ ଜଣେ ହିନ୍ଦୁଙ୍କୁ ପିଟିପିଟି ମାରି ଦେଇଛନ୍ତି। ମୃତ ହିନ୍ଦୁ ଯୁବକ ହେଉଛନ୍ତି ଦୀପୁ ଚନ୍ଦ୍ର ଦାଶ। ହିଂସାକାରୀମାନେ ବିଭିନ୍ନ ସ୍ଥାନରେ ପୋଡାଜଳା ମଧ୍ୟ କରିଛନ୍ତି। ଏପରି କି ‘ଡେଲି ଷ୍ଟାର’ ଓ ‘ପ୍ରୋଥୋମ ଆଲୋ’ ଭଳି ଗଣମାଧ୍ୟମ କାର୍ଯ୍ୟାଳୟକୁ ଟାର୍ଗେଟ କରିଛନ୍ତି। ଗଣମାଧ୍ୟମ କାର୍ଯ୍ୟାଳୟରେ ପୋଡାଜଳା ଓ ଭଙ୍ଗାରୁଜା କରିଛନ୍ତି। ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି ଯେ ଗଣମାଧ୍ୟମ ସଂସ୍ଥା ଓ ସାମ୍ବାଦିକମାନେ ଭାରତ ସରକାରଙ୍କ ବୋଲକରା ହୋଇରହିଛନ୍ତି। ସେମାନେ ଶେଖ ହସିନାଙ୍କ ସମର୍ଥକ ସାଜିଛନ୍ତି। ବିକ୍ଷୋଭକାରୀଙ୍କ ପୋଡାଜଳା ଯୋଗୁଁ ଅନେକ ସାମ୍ବାଦିକ କାର୍ଯ୍ୟାଳୟ ମଧ୍ୟରେ ଫସି ରହିଥିଲେ। ‘ପ୍ରୋଥୋମ ଆଲୋ’ ଭଳି ଖବରକାଗଜର ଶୁକ୍ରବାର ସଂସ୍କରଣ ପ୍ରକାଶ ପାଇପାରି ନାହିଁ। ‘ପ୍ରୋଥୋମ ଆଲୋ’ ଓ ‘ଡେଲି ଷ୍ଟାର’ କାର୍ଯ୍ୟାଳୟ ଉପରେ ଗୁରୁବାର ରାତିରୁ ଆକ୍ରମଣ ହୋଇଥିଲା। କାର୍ଯ୍ୟାଳୟ ମଧ୍ୟରେ ଫସି ରହିଥିବା ସାମ୍ବାଦିକଙ୍କୁ ୪ ଘଣ୍ଟା ପରେ ସେନା ଓ ପୋଲିସ ସହାୟତାରେ ଉଦ୍ଧାର କରାଯାଇଥିଲା। ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍ ହିନ୍ଦୁ ଯୁବକଙ୍କୁ ହତ୍ୟା ଓ ଗଣମାଧ୍ୟମ କାର୍ଯ୍ୟାଳୟରେ ପୋଡାଜଳା କରାଯିବା ଘଟଣାକୁ ନିନ୍ଦା କରିଛନ୍ତି। ଏହା ସହିତ ହିଂସାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ହିଂସାକୁ ନିୟନ୍ତ୍ରଣ କରିବା ଲାଗି ୟୁନୁସ ଦେଶର ନାଗରିକଙ୍କୁ ନିବେଦନ କରିଛନ୍ତି। କେତେକ ଅସାମାଜିକ ତତ୍ତ୍ବ ଦେଶରେ ହିଂସା ଘଟାଉଛନ୍ତି ବୋଲି ସେ କହିଛନ୍ତି। ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବାବେଳେ ଇନ୍କିଲାବ ମଞ୍ଚର ନେତା ଓସମାନକୁ ହତ୍ୟା କରାଯିବା ପରେ ଏହା ହିଂସାର ରୂପ ନେଇଛି। ଏହା ପୂର୍ବରୁ ବୁଧ ଓ ଗୁରୁବାର ଭାରତୀୟ ଦୂତାବାସ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଢାକା ସମେତ ଅନ୍ୟାନ୍ୟ ସ୍ଥାନରେ ଥିବା ଭାରତର ମିଶନ ନିକଟରେ ଜୁଲାଇ ଐକ୍ୟ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଓସମାନ ବାଂଲାଦେଶ ସାଧାରଣ ନିର୍ବାଚନ ପାଇଁ ଅନ୍ୟତମ ପ୍ରତିଦ୍ବନ୍ଦ୍ବୀ ଥିବାବେଳେ ଗତ ୧୨ ତାରିଖରେ ତାଙ୍କ ଉପରେ ଆତତାୟୀମାନେ ଆକ୍ରମଣ କରିଥିଲେ। ଏକ ନିର୍ବାଚନ ସଭାରେ ଭାଷଣ ଦେବା ସମୟରେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା। ତାଙ୍କୁ ଚିକିତ୍ସା ପାଇଁ ସିଙ୍ଗାପୁର ନିଆଯାଇଥିଲା। ମାତ୍ର ଗୁରୁବାର (୧୮ ତାରିଖ) ତାଙ୍କର ମୃତ୍ୟୁ ହୋଇଥିଲା। ଓସମାନଙ୍କର ମୃତ୍ୟୁ ପଛରେ ଭାରତ ସରକାରଙ୍କ ଷଡଯନ୍ତ୍ର ରହିଥିବା ୟୁନୁସ୍ ସରକାର ଅଭିଯୋଗ କରିଛନ୍ତି। ଏପରି କି ହତ୍ୟାକାରୀଙ୍କୁ ଭାରତ ଆଶ୍ରୟ ଦେଇଥିବା ଅଭିଯୋଗ କରାଯାଇଛି। ବାଂଲାଦେଶର ଏହିସବୁ ଅଭିଯୋଗକୁ ଭାରତ ଖଣ୍ଡନ କରିଛି। ଓସମାନ ଜଣେ ଭାରତ ବିରୋଧୀ ହୋଇଥିବାବେଳେ ଗତବର୍ଷ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ବିତାଡିତ କରିବା ଲାଗି ହୋଇଥିବା ହିଂସାର ଅନ୍ୟତମ ସୂତ୍ରଧର ଭାବେ ପରିଚିତ। ଓସମାନର ମୃତ୍ୟୁ ପାଇଁ ବାଂଲାଦେଶ ସରକାର ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏହା ସହିତ ତାଙ୍କୁ ସହିଦର ମାନ୍ୟତା ଦେଇଛନ୍ତି। ଶୁକ୍ରବାର ଓସମାନର ମୃତଦେହ ବାଂଲାଦେଶରେ ପହଞ୍ଚିବା ପରେ ମହମ୍ମଦ ୟୁନୁସଙ୍କ ସମେତ ଅନ୍ତରୀଣ ସରକାର ପ୍ରମୁଖ ନେତାମାନେ ତାଙ୍କର ଶେଷ ଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶନିବାର ଓସମାନର ଅନ୍ତିମ ସଂସ୍କାର କରାଯିବ।ଅନ୍ୟପଟେ ବାଂଲାଦେଶରେ ଦେଖାଯାଇଥିବା ଭାରତ ବିରୋଧୀ ହିଂସାକୁ ନେଇ ଢାକାସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ (ଦୂତାବାସ) କାର୍ଯ୍ୟାଳୟର ସୁରକ୍ଷାକୁ କଡାକଡି କରାଯାଇଛି। ଏହି ହିଂସାକୁ ନେଇ କଲକାତା ପୋଲିସକୁ ସଜାଗ କରାଯାଇଛି। ଏହି ଘଟଣାକୁ ନେଇ ବିଜେପି ନେତା ଅମିତ ମାଲବ୍ୟ, କଂଗ୍ରେସ ନେତା ଶଶୀ ତରୁର୍ ଉଦ୍ବେଗ ପ୍ରକାଶ କରିଛନ୍ତି। ବିଶେଷକରି ବାଂଲାଦେଶର ଗଣମାଧ୍ୟମ କାର୍ଯ୍ୟାଳୟ ଉପରେ ହୋଇଥିବା ଆକ୍ରମଣକୁ ସେମାନେ ନିନ୍ଦା କରିଛନ୍ତି। କେତେକ ଦାୟିତ୍ବହୀନ ବ୍ୟକ୍ତି ନକାରାତ୍ମକ ମନ୍ତବ୍ୟ ଦେବା ପୂର୍ବକ ଭାରତ ବିରୋଧୀ ହିଂସାକୁ ଉସୁକାଉଛନ୍ତି ବୋଲି ତରୁର୍ କହିଛନ୍ତି। ବାଂଲାଦେଶ ହିଂସାକୁ ନେଇ ଆମେରିକା ଦୂତାବାସ ଏହାର ନାଗରିକଙ୍କୁ ସତର୍କତା ଜାରି କରିଛି। ଜନଗହଳିସ୍ଥାନ, ବିକ୍ଷୋଭସ୍ଥଳ ଓ ସମ୍ବେଦନଶୀଳ ଅଞ୍ଚଳରୁ ଦୂରେଇ ରହିବାକୁ ଆମେରିକା ଏହାର ନାଗରିକଙ୍କୁ କହିଛି |






More Stories
ବୀମା ଟଙ୍କା ପାଇଁ ବାପାକୁ ସାପ ଚୋଟ…..
ଇମ୍ରାନ୍ ଖାନ୍ ଏବଂ ବୁଶରା ବିବିଙ୍କୁ ଜେଲ୍ ଦଣ୍ଡ……
ଆମେରିକା ପ୍ରତିରକ୍ଷା ସଚିବଙ୍କ କଡ଼ା ଚେତାବନୀ…..