Report Card Odisha

| Daily Odia News

୪ ଦିନ ପ୍ରବଳ ବର୍ଷୀବ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ଲାଗି ରହିବ । ମାର୍ଚ୍ଚ ୩୧ ଓ ଏପ୍ରିଲ ପହିଲା ତଥା ଓଡ଼ିଶା ଦିବସରେ କେତେକ ଜିଲ୍ଲାରେ ପଶ୍ଚିମା-ଝଡ଼ ସର୍ବାଧିକ ପ୍ରଭାବ ପକାଇବ। କୁଆପଥର ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ । ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ମାତ୍ର ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ିର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯିବା ସହ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ତାହାକୁ ନଜରରେ ରଖି କୌଣସି ପ୍ରକାର ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ସ୍ବ ଏସ୍‌ଆରସିଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଏଥିସହ ଘଡ଼ଘଡ଼ି ବିଜୁଳି ଓ ପବନ ସମୟରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଲୋକକୁ ପରାମର୍ଶ ଦିଆଯାଇଛି। ପାଣିପାଗ କେନ୍ଦ୍ର ଆକଳନ ଅନୁଯାୟୀ ଗୁରୁବାର ସକାଳ ସୁଦ୍ଧା ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ବିଜୁଳ ସହ ବର୍ଷା ହୋଇପାରେ। ଏହାର ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ପଶ୍ଚିମା-ଝଡ଼ର ପ୍ରଭାବ ରହିବ। ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବ। ମାର୍ଚ୍ଚ ୩୧ ସକାଳ ୮ଟା ୩୦ରୁ ଏପ୍ରିଲ ୧ ସକାଳ ୮ଟା ୩୦ ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାର କେତେକ ସ୍ଥାନରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ସହ ବର୍ଷା ହେବ । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, କଟକ ଓ ଢେଙ୍କାନାଳର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ବିଜୁଳି ସହ ଝଡ଼ବର୍ଷା ହେବ। ଏପ୍ରିଲ ୨ ତାରିଖ ସକାଳ ସୁଦ୍ଧା ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଏପ୍ରିଲ ୨ ବେଳକୁ ଭାରତର ଉତ୍ତର-ପଶ୍ଚିମ ଭାଗକୁ ଏକ ନୂଆ ପଶ୍ଚିମା-ଝଡ଼ ପ୍ରଭାବିତ କରିବାର ସମ୍ଭାବନା ରହିଥିବା ଆକଳନ କରାଯାଇଛି।

Breaking News