Report Card Odisha

| Daily Odia News

ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଶନିବାର କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରିକୁ ଘଡ଼ଘଡ଼ି ସହ ବର୍ଷା ପବନ ବହିବା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସୂଚନା ଦିଆଯାଇଛି। ଏହି ସମୟରେ ପବନର ବେଗ ପ୍ରାୟତଃ ୩୦ ରୁ ୪୦ କି.ମି. ରହିବ ବୋଲି ଆକଳନ କରାଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ପ୍ରବଳ ଗରମ ଓ ଗୁଳୁଗୁଳି ହେଉଛି। ଏଥିସହ ଗରମ ଝାଞ୍ଜି ପବନରେ ଦେହ ହାତ ପୋଡିଗଲା ଭଳି ଅନୁଭୂତ ହେଉଛି। ଗତ ୨୪ଘଣ୍ଟାରେ ରାଜ୍ୟର ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଝାରସୁଗୁଡାରେ ସର୍ବାଧିକ ୪୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଅନୁଗୋଳ ୪୦.୭ ଡିଗ୍ରୀ, ଟିଟିଲାଗଡ଼ ଓ ଭଦ୍ରକ ୪୦.୫, ହୀରାକୁଦ ୪୦.୪, ବଲାଙ୍ଗୀର ୪୦.୩, ପାରଳାଖେମୁଣ୍ଡି, ସମ୍ବଲପୁର ଓ ତାଳଚେରରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି। ସେହିପରି ଦ୍ୱୈତନଗରୀ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୮.୭ ଡିଗ୍ରୀ ଓ କଟକରେ ୩୮.୪ ଡିଗ୍ରୀ ରେକର୍ଡ ହୋଇଛି। ଆଗାମୀ ୪ଦିନ ଧରି ରାଜ୍ୟରେ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ଶନିବାର ମଧ୍ୟ ଏକାଧିକ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିବ।

Breaking News