ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ସଂକ୍ରମଣର ଦ୍ଵିତୀୟ ଲହରର ପ୍ରକୋପକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସିବିଏସଇ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ନେଇ ବୁଧବାର ବଡ ନିଷ୍ପତ୍ତି ନେଇଛନ୍ତି। ଦ୍ଵାଦଶ ବୋର୍ଡ ପରୀକ୍ଷାକୁ ଘୁଞ୍ଚାଯାଇଥିବା ବେଳେ ଦଶମ ପରୀକ୍ଷା ବାତିଲ୍ କରାଯାଇଛି। ମୋଦୀ ସରକାରଙ୍କ ଏହି ନିଷ୍ପତ୍ତିରେ ବିରୋଧୀ କଂଗ୍ରେସ ମଧ୍ୟ ଖୁସି ପ୍ରକଟ କରିଛି। କିନ୍ତୁ ପାର୍ଟି ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଓ ପାର୍ଟିର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଏହାର ଶ୍ରେୟ ଦେଇଛି। କଂଗ୍ରେସ ପାର୍ଟି ଟ୍ଵିଟ୍ କରି କହିଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ କଥା ଶୁଣି ଭଲ କରିଛନ୍ତି। କଂଗ୍ରେସ ଦଳ ଦେଶକୁ ବଦଳାଇବା ପାଇଁ ଏକ ଲମ୍ବା ରାସ୍ତାରେ ଯାତ୍ରା କରିବ। ଏହା ଆମର ଗଣତାନ୍ତ୍ରିକ କର୍ତ୍ତବ୍ୟ ଯେ, ଆମେ ଏକାଠି ହୋଇ ଲୋକଙ୍କ ଉନ୍ନତି ପାଇଁ କାମ କରିବା। ଏହା ଦେଖି ଭଲ ଲାଗିଲା ଯେ, ବିଜେପି ନିଜ ଅହଙ୍କାରଠୁ ଦେଶକୁ ଉର୍ଦ୍ଧ୍ଵରେ ରଖିଛି। କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବିଷୟରେ ମଧ୍ୟ କୌଣସି ଅନ୍ତିମ ନିଷ୍ପତ୍ତି ନିଆଯାଉ। ଏହା ଖୁସିର କଥା ଯେ, ସରକାର ଶେଷରେ ଦଶମ ବୋର୍ଡ ପରୀକ୍ଷା ବାତିଲ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ସମଗ୍ର ଦେଶରେ କୋଭିଡ୍-୧୯ର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବୁଧବାର ସିବିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ୍ କରିବା ସହ ଦ୍ଵାଦଶ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, କେନ୍ଦ୍ର ଶିକ୍ଷା ସଚିବ ତଥା ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି।






More Stories
ହାଇଦ୍ରାବାଦ ଯାଉଥିବା ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ…..
ସମ୍ବିଧାନ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଉଛି ବିଜେପି……
ଦିଲ୍ଲୀରେ ବିଶ୍ବହିନ୍ଦୁ ପରିଷଦର ବିକ୍ଷୋଭ…..