Report Card Odisha

| Daily Odia News

ପଶ୍ଚିମବଙ୍ଗ ନିର୍ବାଚନ:ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରଚାର ଶେଷ ହେବ…..

ରିପୋର୍ଟ କାର୍ଡ / କୋଲକାତା

ଏପ୍ରିଲ ୧ରେ ହେବ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ | ତେଣୁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ସରୁଛି । ଦ୍ୱିତୀୟ ଦିନରେ ୩୦ଟି ଆସନରେ ଭୋଟ୍ ଗ୍ରହଣ କରାଯିବ । ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ନନ୍ଦିଗ୍ରାମ ଆସି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଅମିତ ଶାହ ଆଜି ଏକ ରୋଡ୍ ସୋ କରିବା ପରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ | ଦ୍ୱିତୀୟ ପଯର୍ୟାୟରେ ଭୋଟ୍ ନିଆଯିବାକୁ ଥିବା ୩୦ ଆସନ ମଧ୍ୟରୁ ନନ୍ଦିଗ୍ରାମରେ ରାଜନୈତିକ ଉଷ୍ଣତା ଅଧିକ ରହିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କର ପୂର୍ବତନ ଖାସ୍ ସହଯୋଗୀ ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଲଢ଼େଇ ହେଉଛି । ରବିବାର ଠାରୁ ନନ୍ଦିଗ୍ରାମରେ କ୍ୟାମ୍ପ କରି ରହିଥିବା ମମତା ଗତକାଲି ପଦଯାତ୍ରା କରିଥିଲେ । ଆଜି ମଧ୍ୟ କେତେକ ସ୍ଥାନରେ ମମତା ସଭା କରିବେ ଉଭୟ ମମତା ଓ ଶୁଭେନ୍ଦୁଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ସମସ୍ତଙ୍କ ଫୋକସରେ ନନ୍ଦିଗ୍ରାମ ରହିଛି । ଅମିତ ଶାହଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସି ନନ୍ଦିଗ୍ରାମରେ ପ୍ରଚାର କରିଛନ୍ତି । ସେହିପରି ଆଜି ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ଶୁଭେନ୍ଦୁଙ୍କ ପାଇଁ ପ୍ରଚାର କରିପାରନ୍ତି ବୋଲି ସୂଚନା ମିଳିଛି । ଶୁଭେନ୍ଦୁ ଏବେ ନନ୍ଦିଗ୍ରାମର ବିଧାୟକ ଥିବାବେଳେ ଗତ ବିଧାନସଭାରେ ୬୭.୨୦ ପ୍ରତିଶତ ଭୋଟ୍ ପାଇଥିଲେ ଏଥର ତାଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି ନିଜେ ମମତା । ସେପଟେ ପ୍ରଧାନମନ୍ତ୍ରୀ ମୋଦି ଆଜି ପୁଡୁଚେରୀରେ ପ୍ରଚାର କରିବେ । ଆସନ୍ତାମାସ ୬ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ମୋଦି ପ୍ରଚାର କରିବା ସହ ଏନଡ଼ିଏ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ।

Breaking News