Report Card Odisha

| Daily Odia News

ପଶ୍ଚିମବଙ୍ଗରେ ଆଜି ସପ୍ତମ ପର୍ଯ୍ୟାୟ ନିର୍ବାଚନ……

ରିପୋର୍ଟ କାର୍ଡ / କୋଲକାତା

ପଶ୍ଚିମବଙ୍ଗରେ ଆଜି ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । କରୋନା କଟକଣା ମଧ୍ୟରେ ୩୪ଟି ଆସନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ଆଜିର ଏହି ମତଦାନରେ ୮୬ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର୍‌ ୨୮୪ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏହି ପର୍ଯ୍ୟାୟରେ ୩୬ଟି ଆସନରେ ମତଦାନ ହେବାକୁ ଥିବା ବେଳେ ଜାଙ୍ଗିପୁର ଓ ସମସେରଗଂଜ ଆସନର ଦୁଇ ପ୍ରାର୍ଥୀ କରୋନାରେ ମୃତ୍ୟୁବରଣ କରିଛନ୍ତି। ଏଥିପାଇଁ ଆଜି ୩୪ଟି ଆସନରେ ଭୋଟଗ୍ରହଣ ହେବ। ଏହି ଦୁଇ ଆସନରେ ମେ ୧୬ ନିର୍ବାଚନ ହେବ ଓ ମେ ୧୯ରେ ଫଳାଫଳ ପ୍ରକାଶ ପାଇବ। ତେବେ ନିର୍ବାଚନ ସହ ସଂପୃକ୍ତ ସମସ୍ତଙ୍କୁ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। ମତଦାନ କେନ୍ଦ୍ର ପ୍ରବେଶ ପୂର୍ବରୁ ଥର୍ମାଲ ସ୍କାନିଂ ବାଧ୍ୟ କରାଯିବ। ମତଦାନ କେନ୍ଦ୍ରର ବିଭିନ୍ନ ସ୍ଥାନରେ ସାଇନଟାଇଜର ବ୍ୟବସ୍ଥା କରାଯିବ। ସାମାଜିକ ଦୂରତା ବଜାୟ ରଖିବାକୁ ପଡିବ। ଏଥିପାଇଁ ବଡ ବଡ ହଲ୍‌ର ବ୍ୟବସ୍ଥା ହୋଇଛି। ପୁଲିଂ ପରିଚାଳନା କରୁଥିବା ଅଫିସର, କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ଲାଗି କୋଭିଡ ନିୟମ ମଧ୍ୟ କଡାକଡି ହୋଇଛି। ନିର୍ବାଚନ କମିଶନ ଏଥିପାଇଁ ବନ୍ଦୋବସ୍ତ କରିଛନ୍ତି। ଆଜି ସପ୍ତମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ୨୯ ତାରିଖରେ ଶେଷ ତଥା ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ ହେବ ବୋଲି ସୂଚନା ମିଳିଛି ।

Breaking News