ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜଣେ ମାଆ ନିଜ ପିଲା ପାଇଁ କିଛିବି କରିପାରେ | ମା କେବେ ଦୁର୍ବଳା ନୁହେଁ ପିଲାକୁ ସବୁ ବିପଦରୁ ଉଦ୍ଧାର କରିବା ପାଇଁ ଶକ୍ତିଶାଳୀ ହୋଇଯାଏ | ବାଘ ସହ ଲଢ଼େଇ କରି ଜଣେ ମା ନିଜ ୧୫ ମାସର ପୁଅକୁ ଉଦ୍ଧାର କରିଛି | ମଧ୍ୟପ୍ରଦେଶର ଜଣେ ୨୫ ବର୍ଷୀୟ ମହିଳା ଅସାଧାରଣ ସାହସ ପ୍ରଦର୍ଶନ କରିଛନ୍ତି। ରବିବାର ସକାଳେ ଉମରିଆ ଜିଲ୍ଲା ବାନ୍ଧବଗଡ଼ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର ମାଳା ବିଟ୍ ଅନ୍ତର୍ଗତ ରୋହଣିଆ ଗାଁରେ ଘଟିଥିବା ଉପରୋକ୍ତ ଘଟଣାରେ ଆହତ ହୋଇଥିବା ମାଆ ଓ ପୁଅ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଜିଲ୍ଲା ଅଧିକାରୀମାନେ କହିଛନ୍ତି, ବାଘଟିକୁ ଠାବ କରିବା ପାଇଁ ସେମାନେ ଚେଷ୍ଟା ଚଳାଇଛନ୍ତି। ବନାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ସୁରକ୍ଷା ପାଇଁ ସୁନିଶ୍ଚିତ ହେବା ପାଇଁ ସେମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ସଂଗୃହୀତ ସୂଚନା ଅନୁସାରେ, ବାଘ ସହିତ ଲଢ଼ିଥିବା ଉକ୍ତ ମହିଳାଜଣକ ହେଉଛନ୍ତି ଅର୍ଚ୍ଚନା ଚୌଧରୀ। ଶୌଚ ହେବା ପାଇଁ ସେ ପୁଅ ରବିରାଜକୁ ନେଇ ପଡ଼ିଆକୁ ଯାଇଥିଲେ। ସେତେବେଳେ ବାଘଟାଏ ଲମ୍ଫ ମାରି ତାକୁ କାମୁଡ଼ି ଧରିପକାଇଲା। ବାଘ ଜାବରୁ ପୁଅକୁ ଉଦ୍ଧାର କରିବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ସେ ଆକ୍ରମଣ କଲା। କିନ୍ତୁ, ପୁଅକୁ ରକ୍ଷା କରିବା ପାଇଁ ସେ ନିଜର ଉଦ୍ୟମ ଜାରିରଖିଥିଲେ । ଚିତ୍କାର କରିବାରୁ ପରେ ପରେ କେତେକ ଗ୍ରାମବାସୀ ମଧ୍ୟ ଯାଇ ଘଟଣାସ୍ଥଳରେ ହାଜର ହୋଇଗଲେ। ସେମାନେ ଘଉଡ଼ାଇବାରୁ ବାଘଟି ପିଲାକୁ ଛାଡ଼ି ଡିଆଁମାରି ବଣକୁ ଚାଲିଗଲା। ମହିଳାଙ୍କର କଟୀ, ହାତ ଓ ପିଠିରେ ଆଘାତ ଲାଗିଥିବା ବେଳେ ପିଲାର ମୁଣ୍ଡ ଓ ବେକରେ ଆଘାତ ଲାଗିଛି। ଚିକିତ୍ସା ନିମନ୍ତେ ମା ଓ ପୁଅଙ୍କୁ ତୁରନ୍ତ ମାନପୁର ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..