ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଶ୍ବର ସବୁଠୁ ଧନୀ ରାଜନେତା ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟନ । ତାଙ୍କର ସଂପତ୍ତି ୨୦୦ ବିଲିଅନ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୧୬,୬୦,୦୦୦ କୋଟି ଟଙ୍କା ହେବ। ୭୦୦ ନିୟୁତ ଡଲାର ମୂଲ୍ୟର ଜେଟ୍ ତାଙ୍କ ନିକଟରେ ରହିଛି। ସରକାରୀ ଭାବେ ପୁଟିନଙ୍କ ବାର୍ଷିକ ଦରମା ୧,୪୦,୦୦୦ ଡଲାର ବୋଲି ଦାବି କରାଯାଉଛି। ସେହିଭଳି ପୁଟିନଙ୍କ ପାଖରେ ୮୦୦ ବର୍ଗଫୁଟର ଆପାର୍ଟମେଣ୍ଟ, ଗୋଟିଏ ଟ୍ରେଲର, ୩ଟି କାର୍ ଥିବା କୁହାଯାଉଛି। କିନ୍ତୁ ତାଙ୍କର ବ୍ୟୟବହୁଳ ଜୀବନଶୈଳୀ ଏବଂ ସଂପତ୍ତି ଭିନ୍ନ କାହାଣୀ କହୁଛି। ଜଣେ ନିବେଶକଙ୍କ ଦାବି ପରେ ପୁଟିନଙ୍କ ସଂପତ୍ତି ରହସ୍ୟ ବଢ଼ିଛି। ପୁଟିନଙ୍କ ବିପୁଳ ସଂପତ୍ତିର ବଡ଼ ପ୍ରତୀକ ହେଉଛି କୃଷ୍ଣ ସାଗର କୂଳରେ ଥିବା ତାଙ୍କର ବିଶାଳ ପ୍ରାସାଦ। ଏହା ‘ପୁଟିନଙ୍କ କଣ୍ଟ୍ରି କଟେଜ’ ନାମରେ ପରିଚିତ। ଏଠାରେ ମାର୍ବଲର ସନ୍ତରଣାଗାର ରହିଛି। ସେଠାରେ ଗ୍ରୀକ ଭଗବାନଙ୍କ ପ୍ରତିମୂର୍ତ୍ତି, ଆମ୍ପିଥିଏଟର, ଅତ୍ୟାଧୁନିକ ଆଇସ୍ ହକି ଖେଳପଡ଼ିଆ, ଲସ ଭେଗାସ୍ ଷ୍ଟାଇଲ କ୍ୟାସିନୋ ଏବଂ ନାଇଟ୍ କ୍ଲବ ରହିଛି। ବିଳାସପୂର୍ଣ୍ଣ ପ୍ରାସାଦର ଭିତରପଟେ ଭୋଜନକକ୍ଷରେ ଥିବା ଆସବାବପତ୍ରର ମୂଲ୍ୟ ୫ ଲକ୍ଷ ଡଲାର। ଗୋଟିଏ ବାର୍ ଟେବୁଲ୍ର ମୂଲ୍ୟ ୫୪ ହଜାର ଡଲାର ରହିଛି। ଏହି ଘରର ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ୨ ନିୟୁତ ଡଲାର ଆବଶ୍ୟକ। ୪୦ ଜଣ କର୍ମଚାରୀ ନିୟୋଜିତ ହେଲେ ହିଁ ଏହି ଘରର ରକ୍ଷଣାବେକ୍ଷଣ ସମ୍ଭବ ହେବ ବୋଲି ଫର୍ଚ୍ୟୁନ ପକ୍ଷରୁ କୁହାଯାଇଛି । ପୁଟିନଙ୍କ ବ୍ୟୟବହୁଳ ଜୀବନୀଶୈଳୀ ଏତିକିରେ ସୀମିତ ନାହିଁ। ତାଙ୍କର ଆହୁରି ୧୯ଟି ଘର ସହିତ ୭୦୦ କାର୍, ୫୮ଟି ବିମାନ ଓ ହେଲିକପ୍ଟର ରହିଛି। ୭୧୬ ନିୟୁତ ଡଲାର ମୂଲ୍ୟର ଏକ ବିମାନ ରହିଛି ଯାହାକୁ ଦ ଫ୍ଲାଇଂ କ୍ରେମଲିନ୍ କୁହାଯାଇଥାଏ। ତାଙ୍କର ଏକ ମେଗା ୟଟ୍ ମଧ୍ୟ ରହିଥିବା କୁହାଯାଉଛି, ଯାହାର ମୂଲ୍ୟ ୭୦୦ ନିୟୁତ ଡଲାର। ଏଥିସହିତ ତାଙ୍କ ପାଖରେ ଏତେ ମୂଲ୍ୟବାନ ଘଣ୍ଟା ରହିଛି ଯାହାର ମୋଟ ଦାମ୍ ପୁଟିନଙ୍କ ଘୋଷିତ ମୋଟ ବାର୍ଷିକ ଆୟର ୬ ଗୁଣ ହେବ ବୋଲି କୁହାଯାଉଛି।






More Stories
ଆଉ ଭାରୀ କାର୍ଯ୍ୟଭାର ସମ୍ଭାଳି ପାରିବି ନାହିଁ…..
ପ୍ରମାଣ ନୁହେଁ ରାଜସ୍ବ ରେକର୍ଡ……
ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍ ସଂଘ……