ରିପୋର୍ଟ କାର୍ଡ / କେନ୍ଦୁଝର
କେନ୍ଦୁଝର ସଦର ଥାନା ମହାଦେଈଯୋଡ଼ା ପଞ୍ଚାୟତ ଟିକରପଡ଼ା ବୁରୁଡ଼ିସାହିରେ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ମହାଦେଈଯୋଡ଼ା ମୁଣ୍ଡାସାହିର ବିକି ମୁଣ୍ଡା । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବୁରୁଡ଼ିସାହିରେ ଆଜି ଅପରାହ୍ନ ସାଢ଼େ ୩ଟାବେଳେ ଗ୍ରାମାଞ୍ଚଳ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ଖେଳ ଚାଲିଥିଲା। ବିକି ପଡ଼ିଆରେ ବସି ଖେଳ ଦେଖୁଥିଲେ। ଏହିସମୟରେ ଜଣେ ଅଚିହ୍ନା ଯୁବକ ଏକ ଟାଙ୍ଗିଆ ନେଇ ଆସି ସେଠାରେ ପହଞ୍ଚିଥିଲା। ସମସ୍ତେ ଖେଳ ଦେଖୁଥିବା ବେଳେ ଟାଙ୍ଗିଆରେ ବିକିଙ୍କ ମୁଣ୍ଡର ପଛପଟକୁ ହାଣି ଦେଇଥିଲା। ପରେ ତାଙ୍କ ବେକକୁ ଏକ ଚୋଟ ପକାଇଥିଲା । ଅତ୍ୟଧିକ ରକ୍ତସ୍ରାବ ହେବାରୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ କେନ୍ଦୁଝର ସଦର ଥାନା ପୋଲିସ ସେଠାରେ ପହଞ୍ଚିଥିଲା । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ମୃତ ବିକି ନାମରେ କେନ୍ଦୁଝର ସଦର ଥାନା ସମେତ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ଚୋରି ଓ ଡକାୟତି ମାମଲାଥିବା ସୂଚନା ମିଳିଛି |






More Stories
୯ ପୋଲିସ ଅଧିକାରୀ ପାଇବେ ଫାଶୀ…..
କାଲିଠୁ ମହଙ୍ଗା ହେବ ବିମାନଯାତ୍ରା…..
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..