ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମାଲ୍ବାହୀ ପୋତ ଟଳମଳ ହେବାରୁ ଗଙ୍ଗାନଦୀରେ ୫ଟି ଟ୍ରକ୍ ବୁଡ଼ିଯାଇଛି | ମାତ୍ରାଧିକ ପଥର ଚିପ୍ସ୍ ବୋଝେଇ ହୋଇଥିବା କେତୋଟି ଟ୍ରକ୍କୁ ପାରି କରାଉଥିବା ଗୋଟାଏ ମାଲବାହୀ ପୋତ ଗୁରୁବାର ବିଳମ୍ବିତ ରାତିରେ ଝାଡ଼ଖଣ୍ଡର ସାହିବଗଞ୍ଜରେ ଥିବା ସମଦା ଘାଟ ଏବଂ ବିହାରର ମଣିହାରୀ କଟିହାର ମଧ୍ୟରେ ଗଙ୍ଗାନଦୀ ମଝିରେ ଭାରସାମ୍ୟ ହରାଇ ବୁଡି ଯାଇଥିଲା | ୧୦ଜଣ ବ୍ୟକ୍ତି ବୁଡ଼ିଯାଇ ନିଖୋଜ ହୋଇଥିବା ଆଶଙ୍କା କରାଯାଉଛି। ସାହିବଗଞ୍ଜ ଡେପୁଟି କମିସନର୍ ରାମ ନିବାସ ଯାଦବ କହିଛନ୍ତି, ମାଲବାହୀ ପୋତଟି ଟଳମଳ ହେବାରୁ ମାତ୍ରାଧିକ ବୋଝେଇ ହୋଇଥିବା ୪/୫ଟି ଟ୍ରକ୍ ନଈ ଭିତରକୁ ଖସିପଡ଼ିଛନ୍ତି। ଦେଓଘରରୁ ‘ନ୍ୟାସ୍ନାଲ୍ ଡିଜାଷ୍ଟର୍ ରେସ୍ପନ୍ସ୍ ଫୋର୍ସ’ ଅଣାଯାଇ ଉଦ୍ଧାର କାର୍ଯ୍ୟରେ ମୁତୟନ କରାଯାଇଛି। ଆମେ ନିଖୋଜ ବ୍ୟକ୍ତିଙ୍କ ସବିଶେଷ ବିବରଣୀ ସଂଗ୍ରହ କରୁଛୁ। ଏହି ଘଟଣାର ତଦନ୍ତ କରାଯିବ। ମାଲ୍ବାହୀ ପୋତର କ୍ୟାପ୍ଟେନ୍, ଅମର ଚୌଧୁରୀ କହିଛନ୍ତି, ଗୋଟାଏ ଟ୍ରକ୍ର ଟାୟାର୍ ଫାଟି ଯିବାରୁ ପୋତ ଟଳମଳ ହେଲା ଏବଂ ୫ଟି ଅତିରିକ୍ତ ବୋଝେଇ ଟ୍ରକ୍ ନଈରେ ପଡ଼ିଗଲେ। ଟ୍ରକ୍ର ଡ୍ରାଇଭର୍ ଏବଂ କ୍ଲିନର୍ମାନଙ୍କ ସମେତ ଅନ୍ୟୂନ ୧୦ଜଣ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି। ପୋତରେ ୧୮ଟି ଚିପ୍ସ୍ ବୋଝେଇ ଟ୍ରକ୍ ପାରି ହେଉଥିଲା ବୋଲି ଘଟଣା ପରେ ପରେ ନଈ ପହଁରି କୂଳକୁ ଉଠି ଆସିଥିବା ମାଲ୍ବାହୀ ପୋତର ଜଣେ କର୍ମଚାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୧୯୮୮ରେ କଟିହାର ନିକଟ ଗଙ୍ଗାନଦୀରେ ସାମର୍ଥ୍ୟ ଠାରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟାଏ ଡଙ୍ଗା ଗଙ୍ଗାନଦୀରେ ଓଲଟି ପଡ଼ିବାରୁ ପ୍ରାୟ ୪୦୦ ତୀର୍ଥଯାତ୍ରୀ ବୁଡ଼ିଯାଇଥିଲେ। ୨୦୧୮ ଏବଂ ୨୦୨୦ ମଧ୍ୟ ୨ଟି ନୌକା ବୁଡ଼ି ଯିବାରୁ କେତେକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।






More Stories
ଲୋକ ଅଦାଲତ କିମ୍ବା ଡିଏଲ୍ଏସ୍ଏ ବିବାହ ବିଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେନି…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….
ରାଜଧାନୀରେ ବୁଲିଲା ଖଣ୍ଡା…..