ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମ୍ୟାମାରରେ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହେବାର ଗୋଟିଏ ଦିନ ପରେ ଦେଶର ଦ୍ବିତୀୟ ବୃହତ୍ତମ ସହର ତଥା ଭୂମିକମ୍ପର କେନ୍ଦ୍ରସ୍ଥଳ ମଣ୍ଡାଲେରେ ଉଦ୍ଧାରକାରୀମାନେ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି। ମ୍ୟାମାର ସରକାରୀ ଗଣମାଧ୍ୟମରେ ୧୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ପ୍ରକାଶ ପାଇଥିବା ବେଳେ ଆମେରିକାର ଏକ ଏଜେନ୍ସି ମୃତ୍ୟୁ ସଂଖ୍ୟା ୧୦,୦୦୦ ଅତିକ୍ରମ କରିପାରେ ବୋଲି ସତର୍କ କରାଇ ଦେଇଛି। ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ୯୦୦ କିଲୋମିଟର ଦୂରରେ ଅବସ୍ଥିତ ବ୍ୟାଙ୍କକ୍ ମଧ୍ୟ ଏହାର ପ୍ରଭାବ ଅନୁଭବ କରିଥିଲା | ଯାହା ଫଳରେ ଅନେକ ଐତିହାସିକ ନିର୍ମାଣ ଏବଂ ପୋଲ ଭୁଶୁଡ଼ି ପଡ଼ିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମ୍ୟାମାରରେ ସେନା ନେତୃତ୍ୱାଧୀନ ସରକାରର ମୁଖ୍ୟ ମିନ ଅଙ୍ଗ ହ୍ଲାଇଙ୍ଗଙ୍କ ସହ କଥାବାର୍ତ୍ତା କରି କହିଛନ୍ତି ଯେ ବିପର୍ଯ୍ୟୟର ମୁକାବିଲା ପାଇଁ ଭାରତ ସହଯୋଗ କରିବ। ମୋଦୀଙ୍କ ସହାୟତା ଘୋଷଣା ପରେ ଭାରତ ବାୟୁସେନାର ଏକ ବିମାନରେ ମ୍ୟାମାରକୁ ସୋଲାର ଲ୍ୟାମ୍ପ, ଖାଦ୍ୟ ପ୍ୟାକେଟ୍ ଓ ରୋଷେଇ ସେଟ୍, ଔଷଧ ସମେତ ୧୫ ଟନ୍ ରିଲିଫ୍ ସାମଗ୍ରୀ ପଠାଯାଇଛି। ‘ଅପରେସନ ବ୍ରହ୍ମା’ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ ସ୍ୱତନ୍ତ୍ର ଉପକରଣ ଓ ସନ୍ଧାନୀ କୁକୁର ସହ ୮୦ ଜଣ ଏନ୍ଡିଆର୍ଏଫ୍ ଉଦ୍ଧାରକାରୀ ଦଳ ମଧ୍ୟ ନେପିଦା ପହଞ୍ଚିଛନ୍ତି। ଏହାବ୍ୟତୀତ ଭାରତୀୟ ନୌସେନାର ଜାହାଜ ଆଇଏନ୍ଏସ୍ ସତପୁରା ଓ ଆଇଏନ୍ଏସ୍ ସାବିତ୍ରୀ ୪୦ ଟନ୍ ମାନବିକ ସହାୟତା ନେଇ ୟାଙ୍ଗୁନ ବନ୍ଦର ଅଭିମୁଖେ ଯାତ୍ରା କରିଛି। ସେପଟେ ଥାଇଲାଣ୍ଡ ସରକାର ବ୍ୟାଙ୍କକ୍ରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।






More Stories
କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର…..
ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ….
ପୁରୀରୁ TMC ବିଧାୟକ ଗିରଫ…..